କରୋନା କବଳରେ ୧୩୦ ପିଲା, ବଲାଙ୍ଗୀରରେ ଗଲା ଶିଶୁଙ୍କ ଜୀବନ

ଭୁବନେଶ୍ୱର,୨୬।୮(ବ୍ୟୁରୋ): କେରଳରେ ଏବେ ସଂକ୍ରମଣ ପୁଣି ଦ୍ରୁତଗତିରେ ବଢ଼ୁଛି। ଏଠାରେ ତୃତୀୟ ଲହର ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି। ଏହାକୁ ନେଇ ଏବେ ଓଡ଼ିଶାରେ ବି ଆତଙ୍କ ଖେଳିଯାଇଛି। ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିବା ସହ ସତର୍କ କରାଉଛନ୍ତି। ମୁକାବିଲା ପାଇଁ ସରକାର ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ଏପରିସ୍ଥିତିରେ ରାଜ୍ୟରେ ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କାରଣ କିଛିଦିନ ହେବ ରାଜ୍ୟରେ ପ୍ରତିଦିନ ୧୮ବର୍ଷ ବୟସ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ଶିଶୁ ଓ କିଶୋର ଆକ୍ରାନ୍ତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ ୮୪୯ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୩୦ ପିଲା ରହିଛନ୍ତି। ଅନ୍ୟପକ୍ଷରେ ଆଉ ୬୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗୀର ଜିଲାର ଜଣେ ୩ ମାସର ଶିଶୁ ରହିଥିବା ଗୁରୁବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।