ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଆସନ୍ନ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ଲିମ୍ବେ ମାରି (୪୦) ଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସ ଓଡି୦୨ ସିପି ୦୪୦୨ ଗାଡ଼ି ସାରିଆପାଲି ଗ୍ରାମକୁ ପହଞ୍ଚିବା ପୂର୍ବରୁ ୧ କିମି ଦୂରରେ ଅଚଳ ହୋଇ ରାସ୍ତାରେ ଅଟକି ଯାଇଥିଲା ।
ସେପଟେ ଆସନ୍ନ ପ୍ରସବା ମହିଳା ନିଜ ଘରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଅଚଳ ଆମ୍ବୁଲାନ୍ସ ବଦଳରେ ଅନ୍ୟ ଆମ୍ବୁଲାନ୍ସ ପଠାଇବାକୁ ୧୦୮ ନମ୍ୱରରେ ଫୋନ କଲେ ଭୁବନେଶ୍ୱରରୁ ପରିଚାଳକ ଓ ଉପସ୍ଥିତ ଡ୍ରାଇଭର ଆଉ ଗାଡ଼ି ନାହିଁ । କୌଣସି ୧୦୮ ଗାଡ଼ି ୫୦ କିମିରୁ ଅଧିକ ଦୂର ଯିବାକୁ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା କହିଛନ୍ତି । ପରିବାର ଲୋକଙ୍କୁ ପ୍ରସବାଙ୍କ ଚିନ୍ତା ଘାରିଛି । ଘଟଣା ସମ୍ପର୍କରେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଅମିତ୍ କୁମାର ସାହୁ, ନନ୍ଦପୁର ବିଡିଓ ଦୁର୍ଗା ପ୍ରସାଦ ଦୋରା, ଜିଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଓ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା।
ବିକଳ୍ପ ବ୍ୟବସ୍ଥା ନହେବାରୁ ଗ୍ରାମବାସୀ ପାଡୁଆ ଅଞ୍ଚଳରୁ ଏକ କମାଣ୍ଡର ଜିପ୍ କୁ ଡକାଇ ସେଥିରେ ପ୍ରସବାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଥିବା ସୂଚନା ମିଳିଛି। ଅନ୍ୟପଟେ ଅଧିକ୍ଷକ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଅନ୍ୟ ଏକ ଆମ୍ବୁଲାନ୍ସକୁ ସାରିଆପାଲି ଅଭିମୁଖେ ପଠାଇଛନ୍ତି । ଖବର ଲେଖାଯିବା ଆସନ୍ନ ପ୍ରସବା ଲିମ୍ବେ ମାରି ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚି ପାରି ନଥିବା ସୂଚନା ମିଳିଛି।

