୯ ଜିଲାରେ ପ୍ରବଳ ବର୍ଷା, ୩ ଦିନ ଯାଏ ଜାରି ରହିବ

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ଆସନ୍ତା ୩ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ। ଉତ୍ତର ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ଆସନ୍ତା ୩ ଦିନ ଯାଏ ବର୍ଷା ଲାଗିରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ୯ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଉକ୍ତ ଜିଲାଗୁଡ଼ିକ ହେଲା- ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼। ଏଥିଲାଗି ଆସନ୍ତା ୧୪ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।