୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର ମଧ୍ୟାହ୍ନ ଭୋଜନ ହେରଫେର କରିଥିବା ଅଭିଯୋଗରେ ସମ୍ବଲପୁର ଜିଲା ଶିକ୍ଷାଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି। ଗତ ଜୁଲାଇ ୯ରେ କଦଳୀଗଡ ହାଇସ୍କୁଲରେ ପାଠ ପଢୁଥିବା ୧୦୭ ଜଣ ଛାତ୍ରୀଛାତ୍ର ଗ୍ରାମର ଏକ ମନ୍ଦିରରେ ଭୋଗ ଖାଇଥିଲେ। ହେଲେ ଏହି ଦିନ ସ୍କୁଲର ୮୬ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଇଥିବା ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରିପୋର୍ଟ ପ୍ରଦାନ କରିଥିଲେ। ଏହା ଜଣାପଡିବା ପରେ ସ୍କୁଲ ଶିକ୍ଷା କମିଟି ଓ ଗ୍ରାମବାସୀ ୧୪ ତାରିଖରେ ରେଢାଖୋଲ ବ୍ଲକ ଶିକ୍ଷାଧିକାରୀଙ୍କ ଜରିଆରେ ଜିଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବ୍ଲକ ଶିକ୍ଷାଧିକାରୀ ଘଟଣାର ତଦନ୍ତ କରିବାକୁ ଏବିଇଓ ଚନ୍ଦ୍ରମଣି ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବିଇଓ ତଦନ୍ତ କରିବା ପରେ ଉକ୍ତ ଦିନ ଛାତ୍ରୀଛାତ୍ର ସ୍କୁଲରୁ ଯାଇ ମନ୍ଦିରରେ ଭୋଗ ଖାଇଥିବା ପ୍ରମାଣିତ ହୋଇଥିଲା। ବିଇଓଙ୍କୁ ତଦନ୍ତ ରିପୋର୍ଟ ଦେବା ପରେ ବିଇଓ ପତ୍ର ସଂଖ୍ୟା ୧୦୬୬ରେ ଜିଲା ଶିକ୍ଷାଧିକାରୀଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଅନୁଧ୍ୟାନ କରିବା ପରେ ଜିଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାସ ପତ୍ର ସଂଖ୍ୟା ୯୧୩୫ରେ ସଂପୃକ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସାହୁଙ୍କୁ ନିଲମ୍ବନ କରିଛନ୍ତି। ବ୍ଲକ ଶିକ୍ଷାଧିକାରୀ ଭଗବାନ ବାଙ୍କିରା ଏହି ସୂଚନା ଦେଇଛନ୍ତି।