Categories: ଖେଳ

୭୦ ବର୍ଷରେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭- ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ବୁଧବାର ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ କ୍ରିକେଟର ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ଲିଟିଲ ମାଷ୍ଟର ଭାବେ ପରିଚିତ ବ୍ୟାଟ୍ସମ୍ୟାନ ୧୯୮୩ ବିଶ୍ୱକପ୍‌ ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିଲେ। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଟୁଇଟରରେ ଉଭୟଙ୍କର ଫଟୋ ଶେୟାର କରି ଗାଭାସ୍କରଙ୍କୁ ଶୁଭେଚ୍ଛା ଦେଇଛନ୍ତି। ସ୍ବତନ୍ତ୍ର ଖେଳାଳିଙ୍କୁ ଜନ୍ମଦିନର ଅନେକ ଶୁଭକାମନା। କ୍ରିକେଟ ପ୍ରତି ତାଙ୍କ ଉତ୍ସାହ ଏବେ ମଧ୍ୟ ଯୁବ ଖେଳାଳିଙ୍କ ଲାଗି ପ୍ରେରଣାର ଉତ୍ସ। ଭଗବାନ ତୁମକୁ ଖୁସିରେ ଓ ସୁସ୍ଥ ରଖନ୍ତୁ ବୋଲି ସଚିନ ଟୁଇଟ୍‌ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇଥିବା ତାଲିକାରେ ଚଳିତ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଥିବା ଭାରତୀୟ ଓପ୍‌ନର ଶିଖର ଧାଓ୍ବନ ଓ ବିସିସିଆଇ ମଧ୍ୟ ରହିଛନ୍ତି। ଗାଭାସ୍କର ଦେଶ ପାଇଁ ୧୨୫ ଟେଷ୍ଟ ଖେଳି ୧୦,୧୨୨ ରନ୍‌ କରିଛନ୍ତି। ଯେକୌଣସି ଫର୍ମାଟରେ ୧୦ ହଜାର ରନ୍‌ ପୂରଣ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ।

Share