୬ ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳିଗଲା

ଜୁନାଗଡ,୨୨।୬(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍‌ ଚିଙ୍ଗୁଡିସର ପଞ୍ଚାୟତ ଝାରବନ୍ଧ ଗ୍ରାମରେ ଥିବା କେନ୍ଦୁପତ୍ର ଫଡିରେ ନିଆଁ ଲାଗି ଯାଇଛି। ଏଥିଯୋଗୁ ପ୍ରାୟ ୬ଲକ୍ଷ ଟଙ୍କାର କେନ୍ଦୁ ପତ୍ର ଜଳି ଯାଇଛି। କେନ୍ଦୁପତ୍ର ବିଭାଗ ପକ୍ଷରୁ ଏ ନେଇ ଜୁନାଗଡ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ଫଡିରେ ନିଆଁ ଲାଗିଯାଇଥିଲା। ରବିବାର ସକାଳେ ସ୍ଥାନୀୟ କର୍ମଚାରୀ ଦେଖିବା ପରେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କେନ୍ଦୁପତ୍ର ଗୁଡିକ ପୋଡିଯାଇ ନଷ୍ଟ ହୋଇଯାଇଥିଲା, ଯାହାର ଅନୁମାନ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଡିଏଫ୍‌ଓ ମଳୟ ଦାଶ ପ୍ରକାଶ କରିଛନ୍ତି।