Categories: ଖେଳ

ଏକାଧିକ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ବୀକାର କଲେ ରଜାକ

ନୂଆଦିଲ୍ଲୀ, ୧୮।୭- ଆଇସିସି ବିଶ୍ୱକପ୍‌ ସମୟରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟାକୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଅଫର୍‌ କରି ଚର୍ଚ୍ଚାକୁ ଆସିଥିଲେ ପୂର୍ବତନ ପାକିସ୍ତାନ ଅଲ୍‌ରାଉଣ୍ଡର ଅବଦୁଲ ରଜାକ। ପାଣ୍ଡ୍ୟାଙ୍କୁ ପ୍ରଶିକ୍ଷଣ ଦେବା ସହ ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଅଲ୍‌ରାଉଣ୍ଡର ବନାଇବାକୁ ଚାହୁଁଛନ୍ତି ବୋଲି ରଜାକ ବିଶ୍ୱକପ୍‌ ସମୟରେ କହିଥିଲେ। ଏବେ କିନ୍ତୁ ସର୍ବସାଧାରଣ ସ୍ଥାନରେ ଏକ ବିବାଦୀୟ ବୟାନ ଦେଇ ବେଶ୍‌ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ଏହି ୩୯ ବର୍ଷୀୟ ଅଲ୍‌ରାଉଣ୍ଡର।
ଏକ ଟିଭି ଶୋ’ ଅବସରରେ ରଜାକ ନିଜ ବିଷୟରେ ଏମିତି କିଛି ମତ ରଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ବିବାହ ପରେ ୫-୬ ମହିଳାଙ୍କ ସହ ସମ୍ପର୍କ ରଖିଥିବା ନେଇ ଏକ ଟିଭି ପ୍ରୋଗ୍ରାମରେ ରଜାକ ସର୍ବସମ୍ମୁଖରେ ଏହା କହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ସହ ଦେଢ଼ବର୍ଷ ଧରି ସମ୍ପର୍କ ରଖିଥିବା ଏହି ପାକିସ୍ତାନ ଭେଟେରାନ କ୍ରିକେଟର୍‌ ସ୍ବୀକାର କରିଛନ୍ତି। ବିବାହ ପୂର୍ବରୁ ଏହି ସବୁ ଘଟଣା ଘଟିଥିଲା ବୋଲି ଶୋ’ ପରିଚାଳନା କରୁଥିବା ପରିଚାଳିକା ପ୍ରଶ୍ନ କରିବାରୁ ରଜାକ ବୈବାହିକ ଜୀବନ ଆରମ୍ଭ ହେବାପରେ ଏହା ହୋଇଥିଲା ବୋଲି କହିଥିଲେ। ଏହି ଟିଭି ଶୋ’ର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ପାଣ୍ଡ୍ୟାଙ୍କୁ କାହିଁକି ପ୍ରଶିକ୍ଷଣ ଦେବାକୁ ରଜାକ ଇଚ୍ଛୁକ ଥିଲେ ତାହାର କାରଣ ଏବେ ମିଳିଯାଇଛି ବୋଲି କେତେକ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ପୂର୍ବରୁ ଏହିଭଳି ଏକ ଟିଭି ଶୋ’ ଅବସରରେ ପାଣ୍ଡ୍ୟା ସମାନ ଧରଣର ବୟାନ ଦେଇ ବେଶ୍‌ ବିବାଦୀୟ ହୋଇଥିଲେ। ଏଥିଲାଗି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ବାସନ୍ଦ କରିବା ସହ ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲା। ରଜାକ ପାକିସ୍ତାନ ପକ୍ଷରୁ ୪୬ ଟେଷ୍ଟ, ୨୬୫ ଦିନିକିଆ ଓ ୩୨ ଟି୨୦ ମ୍ୟାଚ୍‌ ଖେଳି ପାଖାପାଖି ସାଢ଼େ ସାତ ହଜାର ରନ୍‌ ସଂଗ୍ରହ କରିବା ସହ ୩ ଫମାର୍ଟରେ ୩୮୯ ଉଇକେଟ୍‌ ଅକ୍ତିଆର କରିଛନ୍ତି।

Share