୫ ବର୍ଷ ପରେ ଘରକୁ ଫେରିଲେ ନାବାଳିକା: ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ, ଦଲାଲ ଗିରଫ

ବଡବିଲ, ୧୫।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ନାବାଳିକା ଚାଲାଣ ର଼୍ୟାକେଟ୍‌ କିଭଳି ସକ୍ରିୟ ରହିଛି ତାହାର ଏକ ନଜିର ପଦାକୁ ଆସିଛି। ବଲାଣୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରତାରଣା କରି ର଼୍ୟାକେଟ୍‌ରେ ସମ୍ପୃକ୍ତ ଏକ ଦମ୍ପତି ତାଙ୍କୁ ଦିଲ୍ଲୀ ଚାଲାଣ କରିଥିଲେ। ଦୀର୍ଘ ୫ ବର୍ଷ ଧରି ନାନା ନିର୍ଯାତନାର ଶିକାର ହୋଇ ଶିଶୁ ଶ୍ରମିକ ଭାବେ କାମ କରିବା ପରେ ଜମ୍ମୁର ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ଏହି ନାବାଳିକା ଉଦ୍ଧାର ପାଇ ଘରକୁ ଫେରିଆସିଛନ୍ତି। ଗତ ୧୨ ତାରିଖରେ ଆସି ସେ ନିଜ ଘରେ ପହଞ୍ଚିବା ପରେ ନାବାଳିକା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ ହୋଇଛି। ଏହି ସମ୍ପର୍କରେ ପରିବାରବର୍ଗ ଥାନାରେ ଅଭିଯୋଗ କରିବାପରେ ପୋଲିସ ତଦନ୍ତ ଚଳାଇ ଉକ୍ତ ର଼୍ୟାକେଟ୍‌ ସହ ସମ୍ପୃକ୍ତ ରାଜା ସିଂହ ନାମକ ଜଣେ ବିହାରୀ ଦଲାଲଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ନାବାଳିକା ଚାଲାଣ ର଼୍ୟାକେଟ୍‌ରେ ଏକାଧିକ ଦମ୍ପତି କାମ କରୁଥିବା ସୂଚନା ମିଳିଥିବାରୁ ଏନେଇ ଅଧିକ ତନାଘନା ଜାରି ରହିଥିବା ପୋଲିସ କହିଛି।

୨୦୧୪ ଅଗଷ୍ଟ ମାସ ୨୦ ତାରିଖର ଘଟଣା। ସେଦିନ ପୂର୍ବାହ୍ନ ୯ଟା ବେଳେ ଏହି ନାବାଳିକାଙ୍କ ହଠାତ୍‌ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି କୌଣସି ସନ୍ଧାନ ନ ପାଇବାରୁ ଏନେଇ ବଲାଣୀ ଥାନାରେ ଅଭିଯୋଗ କରିଥିଲେ। ବଲାଣୀ ପୋଲିସ ଏକ ନିଖୋଜ ମାମଲା (ନଂ.୫୨/୨୦୧୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାମଧ୍ୟରେ ବର୍ଷପରେ ବର୍ଷ ବିତିଯାଇଥିଲେ ବି ନାବାଳିକାଙ୍କର କୌଣସି ଖୋଜଖବର ମିଳି ନ ଥିଲା। ପୋଲିସ ମଧ୍ୟ କିଛି ସୁରାକ ପାଇପାରି ନ ଥିଲା। ଗତ ୧୨ତାରିଖରେ ନିଖୋଜ ନାବାଳିକା ହଠାତ୍‌ ଆସି ବଲାଣୀସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। ନାବାଳିକା ଫେରି ଆସିବା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହଜିଲା ଝିଅକୁ ପାଇ ସେମାନଙ୍କ ଆଖି ଲୁହରେ ଭରି ଯାଇଥିଲା। ଏସମ୍ପର୍କରେ ଖବର ପାଇବା ପରେ ବଲାଣୀ ଥାନା ପୋଲିସ ସେଠାକୁ ଯାଇ ସମ୍ପୃକ୍ତ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା। ଏଥିରୁ ନାବାଳିକା ଚୋରାଚାଲାଣର ଏକ ବଡ ର଼୍ୟାକେଟ କାର୍ଯ୍ୟକରୁଥିବା ଜଣାପଡିଛି।

ନାବାଳିକାଙ୍କ ବୟାନ ଅନୁଯାୟୀ, ସେଦିନ ଘରେ ତାଙ୍କ ବାପା ଅନୁପସ୍ଥିତ ଥିବାବେଳେ ଅଭିଯୁକ୍ତ ଦଲାଲ ରାଜା ସିଂହ ଓ ତାଙ୍କ ପତ୍ନୀ ଆସି ତାଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ପ୍ରଥମେ ଟାଟାନଗରକୁ ନେଇଯାଇଥିଲେ। ସେଠାରେ ପୂର୍ବରୁ ଅପେକ୍ଷା କରିଥିବା ଦିଲ୍ଲୀର ଦଲାଲ ଅଶୋକ ଯାଦବ ଓ ତାଙ୍କ ପତ୍ନୀ ଏହି ଦଲାଲ ଦମ୍ପତିଙ୍କଠାରୁ  ନାବାଳିକାଙ୍କୁ ନେଇଯାଇଥିଲେ। ନାବାଳିକା ଜଣଙ୍କ ଦିଲ୍ଲୀରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ପରେ ଜମ୍ମୁର ନାମକ ଜଣେ ବ୍ୟକ୍ତିଙ୍କ ସହାୟତାରେ ସେ ସେଠାରୁ ଖସି ଆସିଥିଲେ ବୋଲି ପୋଲିସକୁ କହିଥିଲେ। ନାବାଳିକା ଚାଲାଣ ଘଟଣା ସ୍ପଷ୍ଟ ହେବାପରେ ବଲାଣୀ ପୋଲିସ ଆଇପିସି ଦଫା ୩୬୩/୩୭୦/୧୨୦(ବି)ରେ ଏକ ମାମଲା ରୁଜୁ କରି ବିହାରୀ ଦଲାଲ ରାଜାଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ଘର ବିହାର ରାଜ୍ୟର ଆରା ଜିଲା ଅଞ୍ଚଳରେ। ସେ ବଲାଣୀ ଥାନା ଅନ୍ତର୍ଗତ ଏକ ଉପାସନା ପୀଠ ନିକଟରେ ରହୁଥିଲେ। ଏହି ଘଟଣାରେ ସମ୍ପୃକ୍ତ ରାଜାଙ୍କ ପତ୍ନୀ ଓ ଅନ୍ୟ ଦମ୍ପତିଙ୍କୁ ଧରିବାପାଇଁ ପୋଲିସ ଉଦ୍ୟମ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଔପଦାରେ ଅଭାବନୀୟ କାଣ୍ଡ: ଏକତରଫା ପ୍ରେମରୁ ଶିକ୍ଷୟତ୍ରୀଙ୍କ ସହ ପରିବାର ସଦସ୍ୟଙ୍କୁ ଗୋଡ଼ାଇ ହାଣିଲେ ପ୍ରେମିକ

ଔପଦା, ୧୮।୮(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଏବଂ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ଶିକ୍ଷୟତ୍ରୀଙ୍କୁ ଏକତରଫା ପ୍ରେମ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri