୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର, ୪।୪(ବ୍ୟୁରୋ): ସମ୍ପ୍ରତି କୋଭିଡ୍‌-୧୯ ସଂକ୍ରମଣ ପରିସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଯେକୌଣସି ଆପଦକାଳୀନ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରଖିବା ପାଇଁ ୫୦୦ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଅନ୍‌ଲାଇନ୍‌ ପ୍ରଶିକ୍ଷଣ ଦିଆଯାଇଛି। ଏଥିରେ କଟକ ଏସ୍‌ସିବି ମେଡିକାଲ୍‌ କଲେଜର ସପ୍ତମ ଏବଂ ନବମ ସେମିଷ୍ଟାରର ୫୦୦ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଗାଇଡ଼୍‌ଲାଇନ୍‌ ଅନୁସାରେ ଜୁମ୍‌ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି।
ଏସ୍‌ସିବି ମେଡିକାଲ୍‌ କଲେଜ୍‌ର ଫାକଲ୍‌ଟି ସଦସ୍ୟ ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧିକାରୀମାନେ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରଶିକ୍ଷଣ ପରେ ପ୍ରଥମ ଏକ ଘଣ୍ଟା ମଧ୍ୟରେ ୪୩୪ ଜଣ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ କୁଇଜ୍‌ରେ ଭାଗ ନେବା ନିମନ୍ତେ ପଞ୍ଜିକରଣ କରିଥିଲେ। ଭାରତ ସରକାରଙ୍କ ପ୍ରଦତ୍ତ କୋଭିଡ୍‌ ସମ୍ପର୍କିତ ମଡ୍ୟୁଲ୍‌ଗୁଡ଼ିକ ଏହି ପ୍ରଶିକ୍ଷଣରେ ଉପସ୍ଥାପନ କରାଯାଇଥିଲା। ଆଗାମୀ ଦିନରେ ଯଦି ସେଭଳି କୌଣସି ଜରୁରୀକାଳୀନ ପରିସ୍ଥିତି ଆସେ ତେବେ ଏହି ଛାତ୍ରୀଛାତ୍ରମାନେ ଯୋଦ୍ଧା ହୋଇ କାମ କରିବେ ବୋଲି କରୋନା ଭୁତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚି କହିଛନ୍ତି।