୪ ଦିନ ହେବ ନାବାଳିକା ନିଖୋଜ: ୩ଜଣଙ୍କୁ ଅଟକ ରଖି ବସି ରହିଛି ପୋଲିସ, ଚିନ୍ତାରେ ପରିବାର

ରଣପୁର,୬।୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ଲୋଧାଚୁଆ ଅଞ୍ଚଳର ଜଣେ ୧୬ବର୍ଷୀୟା ନାବାଳିକା ୪ ଦିନ ହେବ ନିଖୋଜ ଅଛନ୍ତି। ସମ୍ପୃକ୍ତ ନାବାଳିକାଙ୍କୁ ବଜ୍ରକୋଟ ଅଞ୍ଚଳର ୩ଜଣ ଅସଦାଚରଣ କରି ଅପହରଣ କରି ନେଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଏନେଇ ଏକ ମାମଲା ରୁଜୁ କରି ଉକ୍ତ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହେଲେ ସେମାନେ ପୋଲିସ ନିକଟରେ ମୁହଁ ଖୋଲୁ ନ ଥିବାରୁ ପୀଡ଼ିତାଙ୍କ ବାପା ଭୟରେ ଅଛନ୍ତି। ନିକଟରେ ହାଇଦ୍ରାବାଦ, ଉନ୍ନାଓ , ପୁରୀରେ ବଳାତ୍କାର ଘଟଣା ସମ୍ମୁଖକୁ ଆସିଥିବାରୁ ତାଙ୍କ ଝିଅ ବଞ୍ଚିଛନ୍ତି କି ନାହିଁ ସେ ନେଇ ସେ ଚିନ୍ତାରେ ଥିବା ପ୍ରକାଶ କରିଛନ୍ତି। ଏନେଇ ସେ ଥାନାକୁ ଦୌଡ଼ୁଥିଲେ ସୁଦ୍ଧା ପୋଲିସ ସହଯୋଗ କରୁ ନ ଥିବା ସେ ଅଭିଯୋଗ କରିଛନ୍ତି।