Categories: ଖେଳ

୪ ଦିନିଆ ଟେଷ୍ଟକୁ ସଚିନଙ୍କ ବିରୋଧ

ନୂଆଦିଲ୍ଲୀ,୮।୧(ପି.ଟି.)- ପ୍ରସ୍ତାବିତ ୪ ଦିନିଆ ଟେଷ୍ଟକୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ବିରୋଧ କରିଛନ୍ତି। ଏଥି ସହିତ ଟେଷ୍ଟର ପାରମ୍ଭରିକ ଫର୍ମାଟରେ କୌଣସି ପରିବର୍ତ୍ତନ ନ କରିବାକୁ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ପଞ୍ଚମ ଦିବସରେ ସ୍ପିନରମାନେ ବିଶେଷ ଭାବେ ସହାୟତା ପାଉଥିବାରୁ ଟେଷ୍ଟ ଏବେ ବେଶ୍‌ ରୋମାଞ୍ଚକ ହେଉଛି।
ସୀମିତ ଓଭର କ୍ରିକେଟକୁ ଅଧିକ ଗୁରୁତ୍ୱ ଦେବା ଓ ଟେଷ୍ଟର ଲୋକପ୍ରିୟତା ବୃଦ୍ଧି ପାଇଁ ଆଇସିସି ୧୪୩ ବର୍ଷର ଏହି ୫ ଦିନିଆ ଫର୍ମାଟକୁ ୪ ଦିନିଆ ବିଶିଷ୍ଟ କରିବାକୁ ଆଇସିସି ଚାହୁଁଛି। ତେବେ ବିଶ୍ୱବ୍ୟାପୀ ଆଇସିସିର ଏହି ଆଭିମୁଖ୍ୟକୁ କଡ଼ା ବିରୋଧ କରାଯାଉଛି। ବିରାଟ କୋହଲିଙ୍କ ସମେତ ରିକି ପଣ୍ଟିଂ, ଜଷ୍ଟିନ ଲାଙ୍ଗର ଓ ନାଥାନ ଲିୟନଙ୍କ ଭଳି ଏହି ପରିବର୍ତ୍ତନକୁ କଡ଼ା ବିରୋଧ କରିଛନ୍ତି।
ଟେଷ୍ଟ କ୍ରିକେଟକୁ ବହୁତ ପସନ୍ଦ କରେ। ଟେଷ୍ଟ ଫର୍ମାଟର ମୁଁ ଜଣେ ବଡ଼ ପ୍ରଶଂସକ। ଏଥିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ସଚିନ କହିଛନ୍ତି। ଦୀର୍ଘ ବର୍ଷ ଧରି ଯେଉଁଭଳି ଭାବେ ଟେଷ୍ଟ ଖେଳାଯାଉଛି, ଠିକ୍‌ ସେହିଭଳି ଖେଳାଯିବା ଉଚିତ ବୋଲି ସେ ମତ ଦେଇଛନ୍ତି। ଟେଷ୍ଟକୁ ୪ ଦିନିଆ କରାଗଲେ ଏହା ସୀମିତ ଓଭର କ୍ରିକେଟର ବର୍ଦ୍ଧିତ ସଂସ୍କରଣ ବୋଲି ବିଚାର କରିବାକୁ ହେବ। ଏପରି ହେଲେ ଟେଷ୍ଟ ଫର୍ମାଟର ମୌଳିକତା ନଷ୍ଟ ହେବ। ଉଲ୍ଲେଖଥାଉ କି, ସଚିନ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ୨୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ପୁଣି ଯଦି ୪ ଦିନି ବିଶିଷ୍ଟ ହେବ ତାହାଲେ ସ୍ପିନରଭାବେ ପ୍ରଭାବି ସାବ୍ୟସ୍ତ ହୋଇପାରିବେ ନାହିଁ। ଟେଷ୍ଟ ଫର୍ମାଟର ପଞ୍ଚମ ଦିବସ ହିଁ ରୋମଞ୍ଚକ ସାବ୍ୟସ୍ତ ହୋଇଥାଏ। କ୍ରିକେଟର ଲୋକ ପ୍ରିୟତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଦିନିକିଆ, ଟି୨୦ ଖେଳାଯାଉଛି। ଏପରିକି ଏବେ ଟି୧୦ ମଧ୍ୟ ଖେଳାଗଲାଣି। ତେଣୁ ଏପରିସ୍ଥଳେ ଟେଷ୍ଟ ଫର୍ମାଟରେ ପରିବର୍ତ୍ତନର କ’ଣ ଆବଶ୍ୟକତା ରହିଛି ବୋଲି ସଚିନ ପ୍ରଶ୍ନ କରିଛନ୍ତି। ଏକମାତ୍ର ଫର୍ମାଟ ଭାବେ ଟେଷ୍ଟ ହିଁ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଥାଏ। ଟେଷ୍ଟରେ ପ୍ରତ୍ୟେକ ଖେଳାଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି ବୋଲି ସେ କହିଛନ୍ତି। ଅବଶ୍ୟ ଟେଷ୍ଟ ଭଲ ଉଇକେଟ ଖେଳାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଯଦି କ୍ୱାଲିଟି ଉଇକେଟ ପ୍ରସ୍ତୁତ କରାଯାଏ ତାହାଲେ ଟେଷ୍ଟ ରୋମାଞ୍ଚକ ହୋଇପାରିବ ବୋଲି ସଚିନ କହିଛନ୍ତି।

Share