Categories: ରାଜ୍ୟ

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା ରହିଛି। ଏହାର ଦୁଇ ସପ୍ତାହ ଅର୍ଥାତ୍‌ ଆସନ୍ତା ୧୫ରୁ ୧୮ ତାରିଖ ମଧ୍ୟରେ ରାଜ୍ୟକୁ ମୌସୁମୀ ପ୍ରବେଶ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ରହିବ ନାହିଁ ବୋଲି ଘରୋଇ ସଂସ୍ଥା ସ୍କାଏମେଟ୍‌ ଅନୁମାନ କରିଛି। ଏହା ଛଡ଼ା ଏଲ ନିନ୍ୟୋ ମୌସୁମୀକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଏଥିଯୋଗୁ ରାଜ୍ୟରେ ମଧ୍ୟ ସ୍ବାଭାବିକଠାରୁ କମ୍‌ ବର୍ଷା ହେବ ବୋଲି ଆକଳନ କରାଯାଇଛି। ତେବେ ପାଣିପାଗ ବିଭାଗ ଏହାକୁ ଖଣ୍ଡନ କରିଛି। ଦେଶର କେତେକ ଭାଗରେ ସ୍ବଳ୍ପ ବୃଷ୍ଟିପାତ ଅନୁମାନ କରିଥିବା ବେଳେ ମଧ୍ୟ ଭାରତୀୟ ରାଜ୍ୟଗୁଡ଼ିକରେ ବର୍ଷା ସ୍ବାଭାବିକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଚଳିତ ବର୍ଷ ପ୍ରାକ୍‌ ମୌସୁମୀ ବର୍ଷାରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରାକ୍‌ ମୌସୁମୀ ବର୍ଷା ହ୍ରାସ ପାଇବା ସହିତ ମୌସୁମୀ ଆଗମନରେ ବିଳମ୍ବ ଦେଖାଦେଇଛି। ସାଧାରଣତଃ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ୧୩୧.୫ମିଲି ମିଟର ହୋଇଥାଏ। ଚଳିତବର୍ଷ ଏ ପର୍ଯ୍ୟନ୍ତ ମାତ୍ର ୯୯ ମିଲିମିଟର ପ୍ରାକ୍‌ ମୌସୁମୀ ବୃଷ୍ଟିପାତ ହୋଇଥିବା ରେକର୍ଡ କରାଯାଇଛି।
ରାଜ୍ୟରେ ପାଗ ପରିବର୍ତ୍ତନ ହୋଇଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ପ୍ରଚଣ୍ଡ ଗ୍ରୀଷ୍ମରୁ ଆଶ୍ୱସ୍ତି ମିଳିଛି। ପାରଦ ୪୦ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଯାଇଛି। ଆକାଶ ମେଘାଚ୍ଛନ୍ନ ରହିବା ସହିତ ରାଜ୍ୟର ଅଧିକାଂଶ
ଭାଗରେ ଘଡ଼ଘଡ଼ି ସହ ପ୍ରାକ୍‌ ମୌସୁମୀ ବର୍ଷା ହେଉଛି। ତେବେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ପୁଣି ଗ୍ରୀଷ୍ମ ଲେଉଟିଛି। ବୁଧବାର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି। ଝାରୁସୁଗୁଡାରେ ସର୍ବାଧିକ ୪୫.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ ୪୨.୧, ସମ୍ବଲପୁର ୪୩.୨, ସୁନ୍ଦରଗଡ ୪୧, ହୀରାକୁଦ ୪୨.୯, ଭବାନୀପାଟଣା ୪୦, ବଲାଙ୍ଗୀର ୪୦, ଫୁଲବାଣୀ ୪୦, ଟିଟିଲାଗଡ ୪୨.୨, ମାଲକାନଗିରି ୪୦.୬ ଏବଂ ସୋନପୁରରେ ସର୍ବାଧିକ ୪୧.୨ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ବାଲେଶ୍ୱର, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଓ ଅନୁଗୋଳ ଆଦି ଜିଲାର କେତେକ ସ୍ଥାନରେ ବଜ୍ରପାତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି।