ଜୟପୁର,୫ା୩(ଡି.ଏନ୍.ଏ.) କୋରାପୁଟ କେନ୍ଦ୍ରିୟ ସମବାୟ ବ୍ୟାଙ୍କ (କେସିସିବି)ରେ ଗତ ତିନିବର୍ଷରେ ୬କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏ ନେଇ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ମାମଲା ରହିଥିବା ବେଳେ ବୁଧବାର ଆୟୁ୍କ୍ତଙ୍କ ନିକଟରେ ପ୍ରତିପକ୍ଷ ହାଜର ହୋଇ ସମସ୍ତ ତଥ୍ୟ ରଖିବାକୁ ପୂର୍ବରୁ ନୋଟିସ ହୋଇଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ପକ୍ଷରୁ ନିଯୁକ୍ତ ଆଇନଜୀବୀ ୨ମାସ ସମୟ ପାଇଁ ଆବେଦନ କରିଥିଲେ ମଧ୍ୟ ଲୋକାୟୁକ୍ତ କେବଳ ଏକ ମାସ ୫ଦିନ ସମୟ ଦେଇଛନ୍ତି। ସେହି ଅନୁସାରେ ଏପ୍ରିଲ ୯ରେ ପରବର୍ତ୍ତୀ ଶୁଣାଣି ହେବ।
ଉଲ୍ଲେଖଯୋଗ୍ୟ, ୨୦୧୫-୧୬, ୨୦୧୬-୧୭ ଓ ୨୦୧୭-୧୮ରେ କେସିସି ବ୍ୟାଙ୍କରେ ବିଭିନ୍ନ ଖର୍ଚ୍ଚ ଦର୍ଶାଇ ୬ କୋଟି ୨ଲକ୍ଷ ୮୮୭୦ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। କୋରାପୁଟ ସଦର ଗାନ୍ଧି ନଗରର ବାସିନ୍ଦା ମନୋଜ ବାହିନୀପତି ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ପରେ ଗତ ଡିସେମ୍ବର ୩୧ରେ ଏକ ମାମଲା (ଏଲୱାଇ ୧୧୩୦/୧୯) ରୁଜୁ ହୋଇଥିଲା। ଏଥିରେ ବ୍ୟାଙ୍କ ପରିଚାଳନା କମିଟି ସଭାପତି, ସଂପାଦକ ଓ କ୍ରୟ ଦାୟିତ୍ୱରେ ଥିବା ଜଣେ ସହକାରୀ ମ୍ୟାନେଜରଙ୍କୁ ଦାୟୀ କରାଯାଇଥିଲା। ଗତ ୩ ବର୍ଷରେ ୬ କୋଟି ୨ ଲକ୍ଷ ୮ ହଜାର ୮୦୭ ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ପୂର୍ବରୁ ଲୋକପାଳ ତଥା ଲୋକାୟୁକ୍ତ ବିଲ ୨୦୧୩ ଅନୁଯାୟୀ ମାମଲା ହୋଇଥିଲା। କିନ୍ତୁ ୨୦୧୪ରେ ନୂତନ ବିଲ ପାର୍ଲାମେଣ୍ଟରେ ମଞ୍ଜୁର ହେବା ପରେ ଅଭିଯୋଗକାରୀଙ୍କୁ ନୂତନ ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ସେହି କ୍ରମରେ ପୁନର୍ବାର ଗତ ଡିସେମ୍ବରରେ ମାମଲା ରୁଜୁ ପରେ ବୁଧବାର ଏହାର ପ୍ରଥମ ଶୁଣାଣି ହୋଇଥିଲା।