୨୩ ଜିଲାରେ ଡେଙ୍ଗୁ

କଟକ ଅଫିସ, ୨୭ା୧୦: ରାଜ୍ୟର କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ ଜିଲାକୁ ବାଦ୍‌ ଦେଲେ ବାକି ୨୩ଟି ଜିଲାରୁ ଏସ୍‌ସିବି ମେଡିକାଲକୁ ଡେଙ୍ଗୁ ରୋଗୀ ଆସିଛନ୍ତି। ଅର୍ଥାତ୍‌ ରାଜ୍ୟର ୯୦ ପ୍ରତିଶତରୁ ଅଧିକ ଜିଲା ଡେଙ୍ଗୁ କବଳିତ। ଚଳିତବର୍ଷ ଏସ୍‌ସିବି ମେଡିକାଲରେ ହୋଇଥିବା ରକ୍ତ ପରୀକ୍ଷା ରିପୋର୍ଟରୁ ୧୩୫୮ଜଣ ରୋଗୀଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଥିବାବେଳେ ମେଡିକାଲରେ ମୋଟ୍‌ ୧୧୯୮ ଜଣ ରୋଗୀ ଆଡମିଶନ ହୋଇଛନ୍ତି। ପଜିଟିଭ ରୋଗୀମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨୬୯, କଟକର ୨୪୬, ଭଦ୍ରକର ୧୭୪, ଯାଜପୁରର ୧୯୫, କେନ୍ଦ୍ରାପଡାର ୧୬୯ ଓ ଜଗତ୍‌ସିଂହପୁରର ୯୫ଜଣ ରୋଗୀ ରହିଛନ୍ତି। ଶନିବାର ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲରେ ୬୫ଜଣ ରୋଗୀଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୬ଜଣଙ୍କ ରକ୍ତରେ ଡେଙ୍ଗୁ ପଜିଟିଭ ଚିହ୍ନଟ କରାଯାଇଛି। ପଜିଟିଭ ରୋଗୀଙ୍କ ମଧ୍ୟରେ କଟକରୁ ୪ଜଣ ରହିଛନ୍ତି। ଶନିବାର ସନ୍ଧ୍ୟା ସୁଦ୍ଧା ମେଡିକାଲରେ ମୋଟ୍‌ ୬୩ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫୮ଜଣ ୱାର୍ଡରେ ଓ ୫ଜଣ ଆଇସିୟୁରେ ଅଛନ୍ତି।