ନୂଆଦିଲ୍ଲୀ,୧୭ା୬ (ପି.ଟି.): ୨୦୦୬ରେ ଇସ୍ରାଏଲ୍-ଲେବାନନ୍ ଯୁଦ୍ଧବେଳେ ଭାରତ ସରକାର ନିଜର ୨୩୦୦ ନାଗରିକଙ୍କୁ ନିରାପଦରେ ସ୍ବଦେଶ ଫେରାଇ ଆଣିଥିଲେ। ‘ଚ୍ୟାଲେଞ୍ଜସ୍ ଅଫ୍ ଗଭର୍ନାନ୍ସ: ଆନ୍ ଇନ୍ସାଇଡର୍ସ ଭିଉ’ ପୁସ୍ତକରେ ପୂର୍ବତନ କ୍ୟାବିନେଟ୍ ସେକ୍ରେଟାରି ବି.କେ. ଚତୁର୍ବେଦୀ ଉକ୍ତ ଯୁଦ୍ଧବେଳର ଅନୁଭୂତି ବର୍ଣ୍ଣନା କରିଛନ୍ତି। ୧୩ ବର୍ଷ ତଳେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରୁ ଭାରତୀୟ ନାଗରିକଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ମେଣ୍ଟ ରାଜନୀତି, ଶାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ କିପରି ଜରୁରୀ ସ୍ଥିତିକୁ ପରିଚାଳନା କରିବାକୁ ପଡିଥିଲା ତାହା ସେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ୧୨,୦୦୦ ଭାରତୀୟ ଲେବାନନ୍ରେ ରହୁଥିଲେ। ସେମାନେ ଯୁଦ୍ଧ ଉପଦ୍ରୁତ ଅଞ୍ଚଳରେ ଫସି ରହିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ଅତୀବ କଷ୍ଟକର କାର୍ଯ୍ୟ ଥିଲା। ଚତୁର୍ବେଦୀ ନୂଆଦିଲ୍ଲୀରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟର ତଦାରଖ କରୁଥିଲେ। ଉତ୍ତେଜନା ବୃଦ୍ଧି ପାଇଥିବାରୁ ଲେବାନନ୍ସ୍ଥିତ ଭାରତୀୟ ଦୂତାବାସ ଛାଡିବା ପାଇଁ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ସିରିଆ ଦେଇ ସେମାନଙ୍କୁ ଆସିବାକୁ ପଡିଥିଲା। ଦୂତାବାସ କର୍ମଚାରୀଙ୍କ ପରିବାର ସଦସ୍ୟମାନେ ସଡକ ପଥରେ ସିରିଆର ରାଜଧାନୀ ଡାମାସକସ୍ ପର୍ଯ୍ୟନ୍ତ ଆସିଥିଲେ ଏବଂ ସେଠାରୁ ସେମାନଙ୍କୁ ବିମାନ ଯୋଗେ ଭାରତ ଅଣାଯାଇଥିଲା।
ଲାଗି ରହିଥିବାରୁ ସଡକ ପଥରେ ଯାତାୟାତ ବିପଦପୂର୍ଣ୍ଣ ଥିଲା। ତେଣୁ ଭାରତ ସରକାର ସମୁଦ୍ର ପଥକୁ ବିକଳ୍ପ ଭାବେ ବାଛି ନେଇଥିଲେ। ସାଇପ୍ରସ୍ର ଏକ ବନ୍ଦରକୁ ଭାରତୀୟମାନଙ୍କୁ ଆଣିବାପରେ ସେଠାରୁ ଭାରତୀୟ ବିମାନରେ ଦିଲ୍ଲୀ ଆଣିବା ବ୍ୟବସ୍ଥା ହୋଇଥିଲା। ସାଇପ୍ରସ୍ ଦେଇ ଯାତ୍ରା ପାଇଁ ଏତେ ଲୋକଙ୍କୁ ଭିଜା ଦେବାକୁ ସେ ଦେଶର ସରକାର ରାଜି ହୋଇ ନ ଥିଲେ। ତେଣୁ ଟ୍ରାନ୍ଜିଟ୍ ସ୍ଲିପ୍ ଭଳି ଏକ ଅଭିନବ ବ୍ୟବସ୍ଥା ହୋଇଥିଲା। ତଦନୁସାରେ ନୌସେନା ଜାହାଜରୁ ଯାତ୍ରୀମାନଙ୍କୁ ସିଧା ଏୟାର ଇଣ୍ଡିଆ ବିମାନକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଥିଲା। ସାଇପ୍ରସ୍ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ନୀଲମ୍ ସଭରଓ୍ବାଲ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଏୟାର ଇଣ୍ଡିଆର ବିମାନ କର୍ମଚାରୀମାନଙ୍କୁ ଶୀଘ୍ର ଭିଜା ଦେବାର ବ୍ୟବସ୍ଥା କରିଥିଲେ ଓ ପାଖାପାଖି ୨୩୦୦ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଯାଇଥିଲା। ଜରୁରୀ ପରିସ୍ଥିତିରେ ଭାରତ କିପରି ଦକ୍ଷତାର ସହ କାର୍ଯ୍ୟ କରିଥିଲା ଏଥିରୁ ତାହାର ସୂଚନା ମିଳେ ବୋଲି ଚତୁର୍ବେଦୀ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ସେ ସମୟରେ ଭାରତର ପଦକ୍ଷେପ ୟୁରୋପୀୟ ୟୁନିୟନ୍ ଏବଂ ଅନ୍ୟ ରାଷ୍ଟ୍ରଗୁଡିକ ପାଇଁ ଏକ ରୋଲ୍ ମଡେଲ ଥିଲା ବୋଲି ଚତୁର୍ବେଦୀ କହିଛନ୍ତି।