Categories: ଖେଳ

୨୦୨୦ ଟୋକିଓ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ

ଟୋକିଓ,୯।୮(ଏଏଫ୍‌ପି): ଟୋକିଓ ୨୦୨୦ ଅଲିମ୍ପିକ୍ସ ନିର୍ମାଣାଧୀନ ଅଞ୍ଚଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତେବେ ଜାପାନର ରାଜଧାନୀରେ ଅତ୍ୟଧିକ ଗରମ ଯୋଗୁ ହୃଦ୍‌ଘାତରେ ଉକ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ୫୦ ବର୍ଷୀୟ ଶ୍ରମିକଙ୍କ ମୃତଦେହ ନିର୍ମାଣ ଅଞ୍ଚଳର ଗ୍ରାଉଣ୍ଡରେ ପଡ଼ିଥିବା ଦେଖିବାକୁ ମିଳିଥିଲା, ଯେଉଁଠାରେ ବିଦ୍ୟୁତ ତାର ପଡ଼ିଥିଲା। ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ମୃତ ଘୋଷଣା କରାଯାଇଥିଲା ବୋଲି ଅଲିମ୍ପିକ୍ସ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। କିନ୍ତୁ କିଛି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହା ଟୋକିଓ ଅଲିମ୍ପିକ୍ସ ନିର୍ମାଣ ଅଞ୍ଚଳରେ ୩ୟ ମୃତ୍ୟୁ ଘଟଣା। ପୂର୍ବରୁ ଜଣେ ଅତ୍ୟଧିକ କାର୍ଯ୍ୟଭାର ସହି ନ ପାରି ଆତ୍ମହତ୍ୟା କରିଥିବାବେଳେ ଆଉ ଜଣେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଟୋକିଓରେ ଚାଲିଥିବା ଗରମ ପରିବେଶ ଅଲିମ୍ପିକ୍ସ ଆୟୋଜକଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଲମ୍ବା ବର୍ଷାଋତୁ ଶେଷ ହେବା ପରେ ଗରମ ପୁଣି ଫେରିଛି। ଗତ ସପ୍ତାହରେ ୧୮ ହଜାର ଲୋକ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ୫୭ଙ୍କ ମୃତ୍ୟୁ ଘଟିଛି।

Share