Categories: ଖେଳ

୨୦୨୦ ଅଲିମ୍ପିକ୍ସ: ବକ୍ସିଂ ଆଥ୍‌ଲେଟ୍‌ ଆମ୍ବାସାଡର ଗ୍ରୁପ୍‌ରେ ମେରୀକମ୍‌

ନୂଆଦିଲ୍ଲୀ, ୩୧।୧୦ (ପି.ଟି.)- ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ବକ୍ସିଂରୁ ପ୍ରତିନିଧିତ୍ୱ ପାଇଁ ଆଇଓସି ପକ୍ଷରୁ ଗଠିତ ୧୦ ଜଣିଆ ଆଥ୍‌ଲେଟ୍‌ ଆମ୍ବାସାଡର ଗ୍ରୁପ୍‌ରେ ଛ’ଥର ବିଶ୍ୱ ବିଜୟିନୀ ଷ୍ଟାର୍‌ ଭାରତୀୟ ବକ୍ସର ଏମ୍‌.ସି. ମେରୀକମ୍‌ଙ୍କୁ ସାମିଲ କରାଯାଇଛି। ଏହି ଗ୍ରୁପ୍‌ରେ ମେରୀକମ୍‌ ଏସିଆରୁ ପ୍ରତିନିଧିତ୍ୱ କରିବେ, ଯେଉଁଥିରେ ଦୁଇଥର ଅଲିମ୍ପିକ ଓ ବିଶ୍ୱ ସ୍ବର୍ଣ୍ଣ ପଦକ ବିଜେତା ୟୁକ୍ରେନର କିମ୍ବଦନ୍ତୀ ଭାସେଲ ଲାମାଚେଙ୍କୋ (ୟୁରୋପ୍‌) ଏବଂ ପାଞ୍ଚଥର ବିଶ୍ୱ ବିଜେତା କ୍ୟୁବାର ଜୁଲିଓ କେସାର ଲା କ୍ରୁଜ (ଆମେରିକା) ପ୍ରମୁଖ ରହିଛନ୍ତି। ୩୬ ବର୍ଷୀୟା ମେରୀକମ୍‌ ରୁଷିଆରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚାମ୍ପିୟନଶିପ୍‌ର ସଦ୍ୟତମ ସଂସ୍କରରରେ ୫୧ କିଗ୍ରା ବିଭାଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ତାଙ୍କର ଏହା ୮ମ ପଦକ ଥିଲା। ଏଥିସହ ଏହି ମଣିପୁର ଷ୍ଟାର୍‌ ବିଶ୍ୱ ଚାମ୍ପିୟନଶିପ୍‌ ଇତିହାସରେ ସବୁଠାରୁ ସଫଳତମ ବକ୍ସର ହେବାର କୃତିତ୍ୱ ଅର୍ଜନ କରିଥିଲେ। ମେରୀକମ୍‌ ଏହା ବ୍ୟତୀତ ୫ଥର ଏସିଆନ ଚାମ୍ପିୟନ ହୋଇଥିବାବେଳେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସରେ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ‘ଅଲିମ୍ପିକ୍ସରେ ବକ୍ସିଂରୁ ଆମ୍ବାସାଡର ଭାବେ ପ୍ରତି ମହାଦେଶରୁ ଜଣେ ପୁରୁଷ ଓ ମହିଳା ବକ୍ସରଙ୍କୁ ମନୋନୀତ କରାଯାଇଛି’ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସ ପାଇଁ ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ଓ ବକ୍ସିଂ ଟୁର୍ନାମେଣ୍ଟର ପ୍ଲାନିଂ ପାଇଁ ଏହି ଗ୍ରୁପ୍‌ ବକ୍ସିଂ ଟ୍ୟାକ୍ସ ଫୋର୍ସ (ବିଟିଏଫ୍‌)କୁ ସହାୟତା କରିବ।

Share