Categories: ଖେଳ

୨୦୧୮-୧୯ ଘରୋଇ ସେସନ: ୬,୪୭୧ଜଣ ଖେଳିଲେ ୨,୦୦୦ ମ୍ୟାଚ୍‌

ନୂଆଦିଲ୍ଲୀ,୧ା୫ (ପି.ଟି.)- ୨୦୧୮-୧୯ ଭାରତୀୟ ଘରୋଇ କ୍ରିକେଟ ସେସନ ଐତିହାସିକ ଥିଲା। ଏଥିରେ ମୋଟ ୨,୦୦୦ରୁ ଉର୍ଦ୍ଧ୍ୱ ମ୍ୟାଚ୍‌ ଖେଳାଯାଇଥିଲା। ୨୩ ବର୍ଷରୁ କମ୍‌ ମହିଳା ଚ୍ୟାଲେଞ୍ଜର ଟ୍ରଫି ଫାଇନାଲ ସହ ଏହି ଘରୋଇ ସେସନର ସମାପ୍ତି ଘଟିଥିଲା। ତେବେ ମେ ୧୨ ତାରିଖରେ ଚଳିତ ଆଇପିଏଲ୍‌ର ଫାଇନାଲ ମ୍ୟାଚ୍‌ ସମ୍ପନ୍ନ ହେବା ସହ  ଭାରତୀୟ ଘରୋଇ କ୍ରିକେଟ ସେସନର ଆନୁଷ୍ଠାନିକ ପରିସମାପ୍ତି ହେବ। ଏହି ସେସନରେ ଭାରତୀୟ କ୍ରିକେଟରେ ବହୁ କିଛି ପ୍ରଥମ ଘଟଣା ଦେଖିବାକୁ ମିଳିଛି।  ପ୍ରଥମଥର ପାଇଁ ଭାରତୀୟ ଘରୋଇ କ୍ରିକେଟରେ ୨୦୨୪ଟି ମ୍ୟାଚ୍‌ ଖେଳାଯାଇଛି। ୩୭ଟି ଦଳ ୩,୪୪୪ ଦିନ କ୍ରିକେଟ ଖେଳିଛନ୍ତି। ତେବେ ୨୦୧୭- ୧୮ ସେସନରେ ୧୦୩୨ଟି ମ୍ୟାଚ୍‌ ଖେଳାଯାଇଥିଲା ଓ ଏଥିରେ ୨୮ଟି ଦଳ ଅଂଶଗ୍ରହଣ କରିଥିଲେ। ୧୮୯୨.୫ ଦିନ କ୍ରିକେଟ ଖେଳାଯାଇଥିଲା।

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅନୁସାରେ କୁଶଳ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯିବା ଯୋଗୁ ଏପରି ସମ୍ଭବ ହୋଇପାରିଛି।  ସବୁଦୃଷ୍ଟିକୁ ବିଚାର କରାଯାଇ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି। ପୂର୍ବାପେକ୍ଷା ମ୍ୟାଚ୍‌ ଦିବସରେ ୮୧ ପ୍ରତିଶତ ବୃଦ୍ଧି ହୋଇଛି ବୋଲି କୁହାଯାଇଛି। ସାରା ସେସନରେ ୧୩୦୧୫ ଖେଳାଳିଙ୍କ ପଞ୍ଜୀକରଣ ହୋଇଥିଲା। ତେବେ ଏହି ସେସନରେ ୬୪୭୧ଜଣ ଖେଳାଳି ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ। ଦେଶବ୍ୟପୀ ୧୦୦ଟି ସହରରେ ସିନିୟର ଓ ବିଭିନ୍ନ ବୟସ ବର୍ଗର ମ୍ୟାଚ୍‌ ଖେଳାଯାଇଥିଲା। ବିସିସିଆଇ ୧୭୦ ଜଣ ଭିଡିଓ ଆନାଲିଷ୍ଟଙ୍କୁ କାମରେ ଲଗାଇଥିଲା।

Share