୨ମାସ ବିତିଲା, ହେଲାନି ମରାମତି: ଭଙ୍ଗା କଲଭର୍ଟରେ ବିପଦପୂର୍ଣ୍ଣ ଯାତାୟାତ

ଘସିପୁରା, ୮।୧୧(ଡି.ଏନ.ଏ.)-ଆଦିବାସୀ ଅପହଞ୍ଚ ଇଲାକା ଗୁଡ଼ିକରେ ଗମନାଗମନ ସୁବିଧା ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଆଜି ବି ଅନେକ ଅଞ୍ଚଳରେ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନି। ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତର ନଟିଆ ଗ୍ରାମରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି। ଏହି ଅପହଞ୍ଚ ଆଦିବାସୀ ଇଲାକାରେ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତା ଓ କଲଭର୍ଟ ନିର୍ମାଣ କରାଗଲା। ମାତ୍ର ନିର୍ମାଣର ଦିନ କେଇଟା ନ ବିତୁଣୁ ଗତ ସେପ୍ଟେମ୍ବର ମାସରେ ହୋଇଥିବା ଅସରାଏ ବର୍ଷାରେ କଲଭର୍ଟଟି ଭୁଶୁଡ଼ି ପଡ଼ିଲା। ଫଳରେ ଏବେ ଏହି ଅଞ୍ଚଳକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ଯାନବାହାନ ତ ଦୂରର କଥା ସାଇକେଲ ଯୋଗେ ମଧ୍ୟ ଯାତାୟାତ ସମ୍ଭବ ହେଉ ନାହିଁ। ଫଳରେ ସ୍ଥାନୀୟ ଲୋଚନସାହି, କେନ୍ଦୁପଦା, ବୁରୁଗୁଡ଼ାର ହଜାର ହଜାର ସଂଖ୍ୟାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅପରପକ୍ଷେ ଦୁଇ ମାସ ହେବ ପୋଲଟି ଭୁଶୁଡି ପଡ଼ିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମରାମତି ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଘସିପୁରା ବ୍ଳକ ଦ୍ୱାରା ୨୦୧୭/୧୮ ଆର୍ଥିକ ବର୍ଷରେ ଝିଙ୍କିପିଟା-ନଟିଆ ଲୋଚନସାହିକୁ କଲଭର୍ଟ ଓ ରାସ୍ତା ନିର୍ମାଣପାଇଁ ୩.୮ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ସ୍ଥାନୀୟ ଲୋକମାନଙ୍କ କହିବା ଅଭିଯୋଗ ଅନୁଯାୟୀ ଏହାର ନିର୍ମାଣ ସମୟରେ ବ୍ୟାପକ ଅନିୟମିତତା ହୋଇଥିବାରୁ କଲଭର୍ଟଟି ଭୁଶୁଡି ପଡ଼ିଥିଲା। ତୁରନ୍ତ ଏହି କଲଭର୍ଟ ମରାମତି କରି ଯାତାୟାତକୁ ସ୍ବଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅପରପକ୍ଷେ ଏନେଇ ଅନୁଧ୍ୟାନ କରାଇଯାଇ ଖୁବଶୀଘ୍ର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଲୋକ ମହାନ୍ତି କହିଛନ୍ତି।