Categories: ଖେଳ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ଜୈସ୍ବାଲ, ବିଷ୍ଣୋଇ, ତ୍ୟାଗୀ

ଦୁବାଇ, ୧୧ା୨ (ପି.ଟି.)-ସୋମବାର ଘୋଷଣା କରାଯାଇଥିବା ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଦଳରେ ୩ଜଣ ଭାରତୀୟ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ବାମହାତୀ ଓପନର ଯଶସ୍ବୀ ଜୈସ୍ବାଲ, ଲେଗ୍‌ସ୍ପିନର ରବି ବିଷ୍ଣୋଇ ଏବଂ ପେସ୍‌ ବୋଲର କାର୍ତ୍ତିକ ତ୍ୟାଗୀ। ୧୨ ଜଣିଆ ଦଳର ନେତୃତ୍ୱ ପାଇଁ ବିଶ୍ୱକପ୍‌ ବିଜୟୀ ବାଂଲାଦେଶ ଦଳର ଅଧିନାୟକ ଆକବର ଅଲିଙ୍କୁ ମନୋନୀତ କରାଯାଇଛି। ଭାରତୀୟ ଦଳକୁ ଫାଇନାଲରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଲାଗି ଜୈସ୍ବାଲ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଛନ୍ତି। ଟୁର୍ନାମେଣ୍ଟର ସ୍କୋରିଂ ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ୧୩୩ ଆଭରେଜରେ ୬ଟି ଇନିଂସରେ ୪୦୦ରନ ସଂଗ୍ରହ କରିଛନ୍ତି। ତାଲିକାରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଶ୍ରୀଲଙ୍କାର ରବିନ୍ଦୁ ରସାନ୍ଥାଙ୍କଠାରୁ ୧୧୪ରନ ଆଗରେ ରହିଛନ୍ତି। ବିଷ୍ଣୋଇ ଟୁର୍ନାମେଣ୍ଟରେ ସବୁଠାରୁ ଅଧିକ ଉଇକେଟ ହାସଲକାରୀ ବୋଲର। ସେ ୬ଟି ମ୍ୟାଚରେ ୧୦.୬୪ ଆଭରେଜରେ ୧୭ଟି ଉଇକେଟ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ ତ୍ୟାଗୀ ଚମତ୍କାର ସୁଇଙ୍ଗ ବୋଲିଂ କରି ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ କାଳ ସାଜିଥିଲେ। ସେ ୧୩.୯୦ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଥିଲେ। ହେଲେ ଭାରତ ଟାଇଟଲ ବଜାୟ ରଖିବାରେ ସକ୍ଷମ ହୋଇପାରି ନ ଥିଲା। ରବିବାର ପୋଚେଫ୍‌ଷ୍ଟ୍ରୁମ୍‌ଠାରେ ବର୍ଷାରେ ପ୍ରଭାବିତ ଫାଇନାଲରେ ବାଂଲାଦେଶ ଡକ୍‌ଓ୍ବର୍ଥ/ଲୁଇସ୍‌ ପଦ୍ଧତିରେ ଭାରତକୁ ୩ ଉଇକେଟରେ ପରାସ୍ତ କରି ପ୍ରଥମ ଥର ୧୯ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ଟୁର୍ନାମେଣ୍ଟର ଏହି ଅଫିସିଆଲ ଟିମ୍‌ରେ ୬ଟି ଦଳରୁ ଖେଳାଳି ପ୍ରତିନିଧିତ୍ୱ କରିଛନ୍ତି। ଯଥା ଆଫଗାନିସ୍ତାନ ଓପନର ଇବ୍ରାହିମ୍‌ ଜାଦ୍ରାନ ଏବଂ େଓଷ୍ଟେଇଣ୍ଡିଜର ନଇମ ୟଙ୍ଗ୍‌ଙ୍କୁ ଦଳରେ ନିଆଯାଇଛି। ବାଂଲାଦେଶରୁ ଆକବରଙ୍କ ସମେତ ଶାହାଦତ ହୋସେନ ଓ ମହମୁଦୁଲ ହସନ ଜୟ ପ୍ରମୁଖ ୩ ଖେଳାଳି ଏଥିରେ ସ୍ଥାନ ପାଇଛନ୍ତି। ଆଫଗାନିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜରୁ ଦୁଇ ଜଣ ଲେଖାଏଁ ଖେଳାଳିଙ୍କୁ ଏଥିରେ ନିଆଯାଇଛି। କାନାଡାର ଅକିଲ କୁମାର ଦଳର ଦ୍ୱାଦଶ ଖେଳାଳି ହୋଇଛନ୍ତି। ୫ଜଣିଆ ସଦସ୍ୟ ବିଶିଷ୍ଟ ପ୍ୟାନେଲ ଏହି ଦଳ ମନୋନୟନ କରିଛି। ସେମାନେ ହେଲେ କମେଣ୍ଟେଟର ଇଆନ ବିଶପ, ରୋହଣ ଗାଭାସ୍କର ଓ ନାଟାଲି ଜର୍ମାନୋସ, ଇଏସ୍‌ପିଏନ୍‌ କ୍ରିକ୍‌ଇନ୍‌ଫୋ କରେସପଣ୍ଡେଣ୍ଟ ଶ୍ରେଷ୍ଠ ଶାହା ଏବଂ ଆଇସିସି ପ୍ରତିନିଧି ମେରୀ ଗଡ୍‌ବିୟର।

୧୯ ବର୍ଷରୁ କମ୍‌ ଆଇସିସି କ୍ରିକେଟ ବିଶ୍ୱକପ୍‌ ଟିମ୍‌ (ବ୍ୟାଟିଂ ଅର୍ଡର ଅନୁସାରେ): ଯଶସ୍ବୀ ଜୈସ୍ବାଲ
(ଭାରତ), ଇବ୍ରାହିମ ଜାଡ୍ରାନ (ଆଫଗାନିସ୍ତାନ), ରବିନ୍ଦୁ ରସାନ୍ଥା (ଶ୍ରୀଲଙ୍କା), ମହମୁଦୁଲ ହସନ ଜୟ (ବାଂଲାଦେଶ), ଶାହାଦତ ହୋସେନ (ବାଂଲାଦେଶ), ନଇମ ୟଙ୍ଗ୍‌ (ଓ୍ବେଷ୍ଟଇଣ୍ଡିଜ), ଆକବର ଅଲି (ବାଂଲାଦେଶ, ଉଇକେଟକିପର ଓ ଅଧିନାୟକ), ସାଫିକୁଲ୍ଲା ଘଫାରି (ଆଫଗାନିସ୍ତାନ), ରବି ବିଷ୍ଣୋଇ (ଭାରତ), କାର୍ତ୍ତିକ ତ୍ୟାଗୀ (ଭାରତ), ଜେଡେନ୍‌ ସିଲ୍ସ (ଓ୍ବେଷ୍ଟଇଣ୍ଡିଜ), ଦ୍ୱାଦଶ ଖେଳାଳି ଅକିଲ କୁମାର (କାନାଡା)।

Share