Categories: ଖେଳ

୧୯ ବର୍ଷରୁ କମ୍‌ ଦଳର କୋଚ୍‌ ପଦ ଦୌଡ଼ରେ ସାକଲିନ

କରାଚୀ,୧୪।୮(ପିଟି): ଦେଶର ୧୯ ବର୍ଷରୁ କମ୍‌ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରେ ସାମିଲ ହୋଇଛନ୍ତି ପୂର୍ବତନ ପାକିସ୍ତାନ ସ୍ପିନର ସାକଲିନ ମୁସ୍ତାକ। ଆଗାମୀ ବର୍ଷ ହେବାକୁ ଥିବା ଜୁନିୟର ବିଶ୍ୱକପ୍‌ ଲାଗି ପ୍ରସ୍ତୁତ ହେଉଥିବା ଦଳର କୋଚ୍‌ ପଦ ପାଇଁ ପିସିବି ପକ୍ଷରୁ ବିଜ୍ଞାପନ ଦିଆଯାଇଥିଲା। ଏଥିଲାଗି ୧୬୯ ଦିନିକିଆ ଓ ୪୯ ଟେଷ୍ଟରେ ମୋଟ ୪୯୬ ଉଇକେଟ ନେଇଥିବା ୪୨ ବର୍ଷୀୟ ସାକଲିନ ଆବେଦନ କରିଛନ୍ତି। ମୁଁ ଜୁନିୟର ଦଳର ମୁଖ୍ୟକୋଚ୍‌ ପଦ ପାଇଁ ଆବେଦନ କରିଛି। ଆସନ୍ତା ସପ୍ତାହରେ ମୋର ସାକ୍ଷାତକାର ଅଛି। ପାକିସ୍ତାନ କ୍ରିକେଟକୁ ମୁଁ ଏବେ ମଧ୍ୟ ଅବଦାନ ଦେଇପାରିବି ବୋଲି ଅନୁଭବ କରିବା ପରେ ପଦ ପାଇଁ ଆବେଦନ କରିଛତ ବୋଲି ସାକଲିନ କହିଛନ୍ତି। ଇସିବିଠାରୁ ୩ୟ ଲିବେଲ କୋଚ୍‌ ସାର୍ଟିଫିକେଟ ପାଇଥିବା ପୂର୍ବତନ ସ୍ପିନର ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ ଓ ବାଂଲାଦେଶ ସହ ପରାମର୍ଶଦାତା ଭାବେ କାର୍ଯ୍ୟ କରିସାରିଛନ୍ତି। ଏବେ ସେ ବିଶ୍ୱକପ୍‌ ବିଜୟୀ ଇଂଲଣ୍ଡ ଦଳ ସହ ସ୍ପିନ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଇଦ୍‌ ଛୁଟି ପରେ ପିସିବି ସିନିୟର ଦଳର ମୁଖ୍ୟ କୋଚ୍‌ ପାଇଁ ମଧ୍ୟ ବିଜ୍ଞପନା ବାହାର କରିବା ନେଇଆଶା କରାଯାଉଛି। ବୋର୍ଡ ମିକି ଆର୍ଥରଙ୍କ କାର୍ଯ୍ୟକାଳରେ ବୃଦ୍ଧି କରାଯିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଓ୍ବେଷ୍ଟଇଣ୍ଡିଜ ଦଳର ପରାମର୍ଶଦାତା ଭାବେ କର୍ଯ୍ୟ କରୁଥିବା ସାକଲିନଙ୍କ ସାଥି ସ୍ପିନର ମୁସ୍ତାକ ଅହମ୍ମଦ ପାକିସ୍ତାନ ଦଳର ମୁଖ୍ୟ କୋଚ୍‌ ଲାଗି ଇଚ୍ଛୁକ ଥିବା ପ୍ରକାଶ କରିଛନ୍ତି। ଉଲ୍ଲେଖଥାଉ କି, ବିସିସିଆଇ ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଓ ଭାରତ ଏ’ ସଫଳତା ପାଇବା ପରେ ପିସିବି ସମାନ ରଣନୀତି ଆପଣେଇବାକୁ ନିଷ୍ପତ୍ତି ନେଇଛି।

Share