Categories: ଖେଳ

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌: ବାଂଲାଦେଶ ସେମିଫାଇନାଲରେ

ପୋଶ୍ଚେଫଷ୍ଟ୍ରୁମ୍‌, ୩୦ା୧ (ପି.ଟି.)-ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ବାଂଲାଦେଶ ୧୦୪ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚଳିତ ୧୯ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଦକ୍ଷିଣ ଆଫ୍ରିକା ଦୁର୍ବଳ ବୋଲିଂର ପୂରା ଫାଇଦା ଉଠାଇଥିଲା। ଓପନର ତାନଜିତ୍‌ ହାସାନ (୮୪ ବଲରୁ ୮୦), ଶାହାଦତ ହୋସେନ (୭୬ ବଲ୍‌ରୁ ୭୪) ଓ ତୋହିଦ ହ୍ରିଦୟ (୭୩ ବଲରୁ ୫୧)ଙ୍କ ଅର୍ଦ୍ଧଶତକ ସହାୟତାରେ ଦଳ ୫ ଉଇକେଟ ବିନିମୟରେ ୨୬୧ ରନ କରିଥିଲା। ଦଳର ଯେଉଁ ୫ଟି ଉଇକେଟ ପତନ ଘଟିଥିଲା ସେଥିରୁ ଦୁଇ ଜଣ ରନଆଉଟ ହୋଇଥିଲେ। ଆୟୋଜକ ଦେଶ ୪୨.୩ ଓଭରରେ ୧୫୭ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋରର ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଲ୍ୟୁକ୍‌ ବିଉଫୋର୍ଟ ୯୧ବଲ୍‌ରୁ ୬୦ ରନ କରିଥିଲେ। ବାଂଲାଦେଶର ସଫଳ ବୋଲର ରକିବୁଲ ହସନ ୧୯ ରନ ବିନିମୟରେ ୫ଟି ଉଇକେଟ ଅକ୍ତିଆର କରିଥିଲେ। ବାଂଲାଦେଶ ଫେବୃୟାରୀ ୬ରେ ଏଠାରେ ଖେଳାଯିବାକୁ ଥିବା ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ।

Share