Categories: ଖେଳ

୧୮ ବର୍ଷରୁ କମ୍‌ ସାଫ ଫୁଟ୍‌ବଲ: ପ୍ରଥମ ଥର ଚାମ୍ପିୟନ ଭାରତ

କାଠମାଣ୍ଡୁ,୩୦।୯: ଏଠାରେ ଚାଲିଥିବା ୧୮ ବର୍ଷରୁ କମ୍‌ ସାଫ ଫୁଟ୍‌ବଲ ଚାମ୍ପିୟନଶିପରେ ଭାରତୀୟ ଦଳ ପ୍ରଥମ ଥର ଚାମ୍ପିୟନ ହୋଇଛି। ରବିବାର ଖେଳାଯାଇଥିବା ଫାଇନାଲରେ ଭାରତୀୟ ଦଳ ୨-୧ ଗୋଲରେ ବାଂଲାଦେଶକୁ ହରାଇ ଦେଇଛି। ମ୍ୟାଚ୍‌ ଆରମ୍ଭରୁ ଭାରତୀୟ ଦଳକୁ ଖାତା ଖୋଲିବା ପାଇଁ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତ ପାଇଁ ବିକ୍ରମ ପ୍ରତାପ ସିଂ ପ୍ରଥମ ଗୋଲ ଦେଇଥିଲେ। ୨୨ତମ ମିନିଟ୍‌ରେ ଭାରତର ଗୁରକିରତ ସିଂ ଓ ବାଂଲାଦେଶର ମହମ୍ମଦ ଫହିଙ୍କୁ ରେଡ୍‌ କାର୍ଡ ଦିଆଯାଇଥିଲା। ଫଳରେ ଦୁଇ ଦଳକୁ ୧୦ ଲେଖାଏ ଖେଳାଳିଙ୍କ ସହ ଖେଳିବାକୁ ପଡ଼ିଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର କିଛି ସମୟ ପୂର୍ବରୁ ବାଂଲାଦେଶ ଅଧିନାୟକ ୟେସିନ (୪୦ତମ ମିନିଟ୍‌) ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହାପରେ ବାଂଲାଦେଶର ୟସିନ ଦ୍ୱିତୀୟ ୟେଲୋ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। ହେଲେ ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ରବି ବାହାଦୁର ରାଣା (୯୦+୧ ମିନିଟ୍‌) ଭାରତ ଲାଗି ବିଜୟ ସୂଚକ ଗୋଲ ଦେଇଥିଲେ। ମ୍ୟାଚ୍‌ ଜିତିବା ପରେ କୋଚ୍‌ ଫ୍ଲଏଡ୍‌ ପିଣ୍ଟୋ କହିଛନ୍ତି, ମ୍ୟାଚ୍‌ଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ରବିଙ୍କ ଚମତ୍କାର ଗୋଲ ବଳରେ ଆମେ ମ୍ୟାଚ୍‌ ଜିତିବାକୁ ସକ୍ଷମ ହେଲୁ। ଆମେ ଟୁର୍ନାମେଣ୍ଟରେ କେବଳ ଶ୍ରେଷ୍ଠ ଫୁଟ୍‌ବଲ ଦଳ ନ ଥିଲୁ, ସବୁଠୁ ପ୍ରଭାବି ଦଳ ମଧ୍ୟ ଥିଲୁ। ମୁଁ ଖେଳାଳିଙ୍କ ପାଇଁ ବହୁତ ଖୁସି ବୋଲି କୋଚ୍‌ ପିଣ୍ଟୋ କହିଛନ୍ତି। ଭାରତର ନିନ୍‌ଥୋଇନଗାମ୍ବା ମିତେଇଙ୍କୁ ମୋଷ୍ଟ ଭାଲ୍ୟୁଏବୁଲ ପ୍ଲେୟର ଅଫ୍‌ ଟୁର୍ନାମେଣ୍ଟ ବିବେଚିତ କରାଯାଇଛି। ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ) ସଭାପତି ପ୍ରଫୁଲ ପଟେଲ ଚାମ୍ପିୟନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଦଳ ପ୍ରତ୍ୟେକ ମ୍ୟାଚ୍‌ରେ ଉନ୍ନତ ପ୍ରଦର୍ଶନ କରିଛି। ଗତ ସପ୍ତାହରେ ୧୬ ବର୍ଷରୁ କମ୍‌ ଭାରତ ଏଏଫ୍‌ସି ଚାମ୍ପିୟନଶିପକୁ ଯୋଗ୍ୟତା ଅର୍ଜନ କରିଥିଲା। ଏବେ ସାଫ ଟୁର୍ନାମେଣ୍ଟ ଜିତିବା ଯୁବ ଭାରତୀୟ ଦଳ ପାଇଁ ଡବଲ ଖୁସି ସଦୃଶ। ଏହି ଭାରତୀୟ ଦଳ ଏବେ ନଭେମ୍ବରରେ ହେବାକୁ ଥିବା ୧୯ ବର୍ଷରୁ କମ୍‌ ଏଏଫ୍‌ସି ଯୋଗ୍ୟତା ପର୍ଯ୍ୟାୟ ଖେଳିବ।

Share