Categories: ଖେଳ

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ: ୧୩ରୁ ଘରୋଇ ମାଟିରେ ଭାରତ ଖେଳିବ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ

ମୁମ୍ବାଇ, ୯।୧୨(ପି.ଟି.)- ଆସନ୍ତାବର୍ଷ ଭାରତରେ ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରସ୍ତୁତି ଓ ଅଭ୍ୟାସ ସ୍ବରୂପ ଭାରତୀୟ ଦଳ ଘରୋଇ ପରିବେଶରେ ଏକ ତ୍ରିରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଖେଳିବ। ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ଆୟୋଜକ ଭାରତ ସମେତ ଥାଇଲାଣ୍ଡ ଓ ସ୍ବିଡେନ ଅଂଶଗ୍ରହଣ କରିବେ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମଥର ପାଇଁ ଭାରତ ମହିଳା ୧୭ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) କହିଛି। ଏସିଆନ ଫୁଟବଲ ଫେଡେରେଶନ (ଏଏଫ୍‌ସି) ଓ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ମିଳିତ ଆନୁକୂଲ୍ୟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଉଛି। ଏହି ଟୁର୍ନାମେଣ୍ଟ ମୁମ୍ବାଇ ଫୁଟବଲ ଏରିନାରେ ଖେଳାଯିବ।
୨୦୨୦ ଫିଫା ମହିଳା ୧୭ ବର୍ଷରୁ କମ୍‌ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଏହି ଟୁର୍ନାମେଣ୍ଟର ଗୁରୁତ୍ୱ ରହିଛି। ମହିଳା ଫୁଟବଲ୍‌ରେ ଥାଇଲାଣ୍ଡ ଓ ସ୍ବିଡେନଙ୍କୁ ଗ୍ଲୋବାଲ ପାଓ୍ବାର ହାଉସ କୁହାଯାଉଥିବା ବେଳେ ଏହି ଟୁର୍ନାମେଣ୍ଟ ଖେଳି ଭାରତୀୟ ଫୁଟବଲରମାନେ ଅନ୍ତର୍ଜାତୀୟ ଅଭିଜ୍ଞତା ହାସଲ କରିବେ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ କହିଛନ୍ତି। ବିଶ୍ୱ ମହିଳା ଫୁଟବଲ୍‌ରେ ସ୍ବିଡେନ ଅନ୍ୟତମ ଶ୍ରେଷ୍ଠ ଦଳ ରୂପେ ପରିଗଣିତ ହେଉଛି। ସ୍ବିଡେନର ସିନିୟର ମହିଳା ଦଳ ଫ୍ରାନ୍ସରେ ଅନୁଷ୍ଠିତ ଗତ ବିଶ୍ୱକପ୍‌ରେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା। ସେହିପରି ଏସୀୟ ଫୁଟବଲ୍‌ରେ ଥାଇଲାଣ୍ଡ ମହିଳା ଦଳ ଶ୍ରେଷ୍ଠ ବିବେଚିତ ହେଉଛି। କ୍ରମାଗତ ଦୁଇଥର ଥାଇଲାଣ୍ଡ ଫିଫା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ସେହିପରି ୨୦୧୮ରେ ଜୋର୍ଡାନେରେ ଅନୁଷ୍ଠିତ ଏଏଫ୍‌ସି ମହିଳା ଏସିଆ କପ୍‌ରେ ଥାଇଲାଣ୍ଡ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା।
ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ
ଡିସେମ୍ବର ୧୩: ଭାରତ ବନାମ ସ୍ବିଡେନ
ଡିସେମ୍ବର ୧୫: ସ୍ବିଡେନ ବନାମ ଥାଇଲାଣ୍ଡ
ଡିସେମ୍ବର ୧୭: ଥାଇଲାଣ୍ଡ ବନାମ ଭାରତ
ଡିସେମ୍ବର ୧୯: ଫାଇନାଲ
(ଗ୍ରୁପ୍‌ ଓ୍ବିନର ବନାମ ଗ୍ରୁପ୍‌ ରନର- ଅପ୍‌)
ଭାରତୀୟ ଦଳ:
ଗୋଲ କିପର: ମଞ୍ଜୁ ଗାଞ୍ଜୁ, ଅଂଶିକା, ତନୁ।
ଡିଫେଣ୍ଡର: ପୂର୍ଣ୍ଣିମା କୁମାରୀ, ଜ୍ୟୋତି କୁମାରୀ, ନିର୍ମଳା ଦେବୀ ଫାନଜୋଉବାମ୍‌, ସିଲ୍‌କି ଦେବୀ ହେମାମ, କ୍ରିତିନା ଦେବୀ ଥୋଉନାଉଜାମ, ନିଶା, ଅଷ୍ଟମ ଓରାଓନ।
ମିଡ୍‌ଫିଲ୍ଡର: ମାର୍ଟିନା ଥୋକଚୋମ, ପ୍ରିୟଙ୍ଗକା ଦେବୀ ନାଓରେମ, ବାବିନା ଦେବୀ ଲିଶମ, ଅମିଶା ବକ୍ସଲା, ଆଭେକା ସିଂ, କିରନ, ଡାଇସି କ୍ରାଷ୍ଟୋ, ସୁନୀତା ମୁଣ୍ଡା, ମରିୟାରମାଲ ବାଲାମୁରୁଗାନ।
ଫରଓ୍ବାର୍ଡ: ସୁମତୀ କୁମାରୀ, ଲିଣ୍ଡା କୋମ ସେର୍ଟୋ, ସାଇ ସାଙ୍ଖେ।

Share