୧୩ ବର୍ଷର ନାବଳିକା ୭ ମାସର ଗର୍ଭବତୀ:ଅଭିଯୁକ୍ତ ୨ ଛୁଆର ବାପା ନାଁରେ ଏତଲା

ଜୟପୁର,୧୪ା୫(ଡି.ଏନ୍‌.ଏ.): ଦୁଇଟି ଛୁଆର ବାପା ଜଣେ ୧୩ ବର୍ଷର ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ତାଙ୍କୁ ୭ ମାସର ଗର୍ଭବତୀ କରିଛନ୍ତି। ଅଭିଯୁକ୍ତ ଜଣକ ଏବେ ବାହାର ରାଜ୍ୟରେ କାମ କରିବାକୁ ଚାଲିଯାଇଛନ୍ତି। କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ତଥା ବି.ସିଙ୍ଗପୁର ଥାନା ଅଧୀନ ଏକ ଗାଁରେ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ଜାଣିବା ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି।
ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସଙ୍କ ନେତୃତ୍ୱରେ ସିଡବ୍ଲ୍ୟୁସି ଅଧ୍ୟକ୍ଷା ଡ. ବି. ଗାୟତ୍ରୀ ଦେବୀ ଏବଂ ‘ସଖୀ’ର ପରିଚାଳିକା ଶିବାନୀ ପାତ୍ରଙ୍କ ସମେତ ଏକ ଟିମ୍‌ ନାବାଳିକାଙ୍କ ଗ୍ରାମର ପହଞ୍ଚତ୍ଥିଲେ। ସେଠାରେ ତାଙ୍କ ମା’ ବାପାଙ୍କ ସହିତ ଆଲୋଚନା କରିବା ପରେ ନାବାଳିକାଙ୍କୁ ନେଇ ଥାନାକୁ ଯାଇଥିଲା ଟିମ୍‌। ସେଠାରେ ଅଭିଯୁକ୍ତ ଉଦ୍ଧବ ସରକାରଙ୍କ ନାଁରେ ଏତଲା ଦିଆଯାଇଛି ା ଉଦ୍ଧବ ବିବାହିତ ଏବଂ ଘରେ ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଥିବା ଜଣାପଡ଼ିଛି। ସେ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରିବାକୁ ଚାଲିଯାଇଥିବା ପୀଡ଼ିତା ନାବାଳିକାଙ୍କ ପରିବାର କହିଛନ୍ତି। ଅନ୍ୟପକ୍ଷରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ଥିବା ଉକ୍ତ ଅଞ୍ଚଳର ସ୍ବାସ୍ଥ୍ୟକର୍ମୀ ପ୍ରକାଶ କରିଛନ୍ତି। ଘରେ ତାଙ୍କର ଅନ୍ୟ ଦୁଇଜଣ ଦିବ୍ୟାଙ୍ଗ ବଡ଼ ଭଉଣୀ ଅଛନ୍ତି। ଏଭଳି ପରିସ୍ଥିତିରେ ୩ ଝିଅଙ୍କ ଭବିଷ୍ୟତ ଚିନ୍ତାରେ ରହିଛନ୍ତି ସେମାନଙ୍କ ମା’ ବାପା। ଗର୍ଭବତୀ ନାବାଳିକାଙ୍କୁ ଉଦ୍ଧାର କରିବା ପରେ ତାଙ୍କୁ କୋରାପୁଟ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ଶିଶୁ ସୁରକ୍ଷା ଅଧିକାରୀ ଦାସ ପ୍ରକାଶ କରିଛନ୍ତି। ତାଙ୍କୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିକଟରେ ହାଜର କରାଯିବା ପରେ ‘ସଖୀ’ ଅନୁଷ୍ଠାନରେ ରଖାଯିବାର ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।