ଗୁଡାରି, ୧୧।୮ (ପ୍ରମୋଦ କୁମାର ପତି): ଗୁଡାରି ସହରର ଗୌଡ଼ ସାହି ବାସିନ୍ଦା ନରସିଂହ ପାଢ଼ୀଙ୍କ କଲେଜ ପଢୁଆ ପୁଅ ମୃତ୍ୟୁଞ୍ଜୟ ପାଢ଼ୀ କ୍ୟାନ୍ସର ସହ ଦୀର୍ଘଦିନ ଧରି ଯୁଦ୍ଧ କରି ଶେଷରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ବିଶାଖାପାଟଣାସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁଞ୍ଜୟଙ୍କ ପରଲୋକ ଘଟିଛି।
ସୂଚନା ଅନୁଯାୟୀ, ମୃତ୍ୟୁଞ୍ଜୟ ୨୦୨୩ ମସିହା ଜୁଲାଇ ମାସରେ ରକ୍ତ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଏହାପରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ହସ୍ପିଟାଲରେ ପ୍ରାୟ ଏକ ବର୍ଷ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ଘରକୁ ଫେରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ପ୍ରତି ମାସରେ ଥରେ ଡାକ୍ତରଙ୍କୁ ଦେଖାଇବା ପାଇଁ କୁହାଯାଇଥିଲା।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ତାଙ୍କ ଗରିବ ପିତାମାତା ପୁଅକୁ ବିଶାଖାପାଟଣା ନେଇ ଯାଉଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇବା ସହ ଆବଶ୍ୟକ ଔଷଧ ମଧ୍ୟ କିଣୁଥିଲେ। ତେବେ ଗତ ଜୁନ ମାସରେ ଚିକିତ୍ସା କରୁଥିବା ଡାକ୍ତର ମୃତ୍ୟୁଞ୍ଜୟ ସମ୍ପୂର୍ଣ୍ଣ ରୋଗମୁକ୍ତ ହୋଇଥିବା କହିବା ସହ ପ୍ରତି ତିନି ମାସରେ ଥରେ ଚିକିତ୍ସା ପାଇଁ ଆସିବାକୁ ପରାମର୍ଶ ଦେଇଥିଲେ।
କିନ୍ତୁ ଗତ ଜୁଲାଇ ୧୯ ତାରିଖରେ ମୃତ୍ୟୁଞ୍ଜୟଙ୍କର ଅତ୍ୟଧିକ ଅଣ୍ଟା ବ୍ୟଥା ହେବାରୁ ତାଙ୍କୁ ପୁନର୍ବାର ବିଶାଖାପାଟଣା ନିଆଯାଇଥିଲା। ସେଠାରେ ତାଙ୍କର ପୁନର୍ବାର ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ପଡ଼ିଥିଲା। ସରକାରଙ୍କ ଆୟୁଷ୍ମାନ କାର୍ଡ ବ୍ୟବହାର କରାଯିବା ପରେ ମଧ୍ୟ ଅତିରିକ୍ତ ଅର୍ଥର ଆବଶ୍ୟକତା ରହିଥିଲା। ଏହି ସମୟରେ ଗୁଡାରି ସହରବାସୀ, ସାଙ୍ଗସାଥୀ ଓ ବନ୍ଧୁବାନ୍ଧବ ମିଳିତ ଭାବେ ମୃତ୍ୟୁଞ୍ଜୟଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା କରିଥିଲେ।
ହେଲେ ଭାଗ୍ୟର ବିଡ଼ମ୍ବନା, ମଙ୍ଗଳବାର ପୂର୍ବାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁଞ୍ଜୟ ସବୁଦିନ ପାଇଁ ଆଖି ବୁଜିଦେଇଥିଲେ। ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହ ଗୁଡାରିରେ ପହଞ୍ଚିବା ପରେ ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ସ୍ଥାନୀୟ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ମୃତ୍ୟୁଞ୍ଜୟ ଆସନ୍ତା ବର୍ଷ ଯୁକ୍ତ ୨ ପରୀକ୍ଷା ଦେଇଥାନ୍ତେ। ତାଙ୍କ ମା’ କୁମୁଦିନୀ ପାଢ଼ୀ ଗୁଡାରିସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଦୀର୍ଘବର୍ଷ ଧରି ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ।
ମୃତ୍ୟୁଞ୍ଜୟଙ୍କ ଦାଦା ଶ୍ରୀନିବାସଙ୍କ କହିବାନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ଭାଇଙ୍କ ପରିବାର ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସମ୍ପତ୍ତି ବୋଲି ପାଖରେ ବିଶେଷ କିଛି ନାହିଁ। ପୁଅର ଚିକିତ୍ସା ପାଇଁ ପରିବାର ସର୍ବସ୍ୱ ହରାଇଛି। ଏଭଳି ପରିସ୍ଥିତିରେ ମୃତ୍ୟୁଞ୍ଜୟଙ୍କ ଅକାଳ ବିୟୋଗ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି।