ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଟୋଡରପୁର ବ୍ଲକ୍ ରିସୋର୍ସ ସେଣ୍ଟର (BRC)ରେ କାର୍ଯ୍ୟରତ କ୍ଲର୍କ ଅମିତ ମିଶ୍ରଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି । ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ତାଙ୍କ ଘରେ ପଶି ବିରୋଧ କରିଥିଲେ ଏବଂ ବିରୋଧ କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତ କ୍ଲର୍କଙ୍କୁ ହେପାଜତରେ ନେଇ ତଦନ୍ତ ଆରମ୍ଭ କରିଛି । ଘଟଣା ପରେ ଶିକ୍ଷା ବିଭାଗରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଘଟଣାଟି ଶାହାବାଦ କୋତୱାଲି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ କହିବା ଅନୁସାରେ, ବେତନ ସମ୍ବନ୍ଧୀୟ ଏକ ସମସ୍ୟା ନେଇ ସେ ଟୋଡରପୁର BRCରେ କାର୍ଯ୍ୟରତ କ୍ଲର୍କ ଅମିତ ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲେ। ଏହି ପ୍ରସଙ୍ଗରେ ଦୁହିଁଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଥିଲା। ତେବେ ସମସ୍ୟାର ସମାଧାନ କରିବା ବଦଳରେ ଅଭିଯୁକ୍ତ ତାଙ୍କୁ ଲଗାତାର ଟାଳଟୁଳ କରୁଥିବା ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି।

ଶିକ୍ଷୟିତ୍ରୀ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ୪ ଅଗଷ୍ଟ ଦ୍ୱିପ୍ରହରରେ ଅମିତ ମିଶ୍ର ତାଙ୍କୁ ଫୋନ୍ କରିଥିଲେ। ପରେ ସେ ଶିକ୍ଷୟିତ୍ରୀଙ୍କ ଘରେ ପହଞ୍ଚିଥିଲେ । ଅଭିଯୋଗ ଅନୁସାରେ, ଘର ଭିତରକୁ ପଶି ସେ ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରିଥିଲେ। ବିରୋଧ କରିବା ସତ୍ତ୍ୱେ ଅଭିଯୁକ୍ତ ଅଟକି ନଥିବା ଏବଂ ଘଟଣା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଘଟଣାରେ ଭୟଭୀତ ଓ ମାନସିକ ଭାବେ ବିଚଳିତ ଶିକ୍ଷୟିତ୍ରୀ ୫ ଅଗଷ୍ଟରେ ଶାହାବାଦ କୋତୱାଲିରେ ପହଞ୍ଚି ପୋଲିସକୁ ଲିଖିତ ଅଭିଯୋଗ ଦେଇଥିଲେ। ଏହା ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ କ୍ଲର୍କଙ୍କୁ ହେପାଜତରେ ନେଇଛି।

ଶାହାବାଦ ଥାନାର ପ୍ରଭାରୀ ନିରୀକ୍ଷକ ଅରବିନ୍ଦ କୁମାର ରାୟ କହିଛନ୍ତି ଯେ, ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ହେପାଜତରେ ନେଇ ପଚରାଉଚରା ସହ ତଦନ୍ତ ଚାଲିଛି । ମାମଲାରେ ନିରପେକ୍ଷ ଭାବେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, BSA ପ୍ରଭାତ ମିଶ୍ର ଏହି ଘଟଣାକୁ ନେଇ ଖଣ୍ଡ ଶିକ୍ଷା ଅଧିକାରୀଙ୍କଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ତଦନ୍ତରେ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ତାହା ଆଧାରରେ ବିଭାଗୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily