ସିଜିମାଳିରେ ମା’ ମାଟି ମାଳି ସୁରକ୍ଷା ମଞ୍ଚ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ପାଳିତ, ଶକ୍ତି ପ୍ରଦର୍ଶନ….

​କଲ୍ୟାଣସିଂହପୁର,୯।୮(ଦୀପକ କୁମାର ପରିଡ଼ା): ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ “ମା’ ମାଟି ମାଳି ସୁରକ୍ଷା ମଞ୍ଚ” ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ରବିବାର ପାଳିତ ହୋଇଯାଇଛି । ରାୟଗଡ଼ା-କଳାହାଣ୍ଡି ଜିଲା ସୀମାନ୍ତ କାଶୀପୁର ବ୍ଲକ ସୁଙ୍ଗେରୁ ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଆଦିବାସୀ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
​ମା’ ମାଟି ମାଳି ସୁରକ୍ଷା ମଞ୍ଚର ସଭାପତି ସୁବାସ ସିଂ ମାଝୀଙ୍କ ଆହ୍ୱାନକ୍ରମେ ଆୟୋଜିତ ଏହି ସମାବେଶରେ ସ୍ଥାନୀୟ ବିସ୍ଥାପିତ ଓ ଖଣି ଖନନ ଦ୍ୱାରା ପ୍ରଭାବିତ ଶତାଧିକ ପରିବାର ଅଂଶଗ୍ରହଣ କରିଥିଲେ । ଆଦିବାସୀମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିଭିନ୍ନ କମ୍ପାନୀ ବିରୋଧରେ ଗର୍ଜନ କରିବା ସହ ବାଣ୍ଟେଜ୍‌ରୁ ବାହାରି ଶୁଙ୍ଗେର ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ସଭାଯାତ୍ରାରେ ପରିକ୍ରମା କରିଥିଲେ । ଶୋଭାଯାତ୍ରା ପରେ ଅନୁଷ୍ଠିତ ଆଲୋଚନା ସଭାରେ ସିଜିମାଲି ଅଞ୍ଚଳରେ ପ୍ରସ୍ତାବିତ ଖଣି ଖନନ ଓ କମ୍ପାନୀଗୁଡ଼ିକର ମନମୁଖୀ କାର୍ଯ୍ୟକଳାପକୁ ଦୃଢ଼ ବିରୋଧ କରାଯାଇଥିଲା।

ଜଳ, ଜଙ୍ଗଲ, ଜମି ଓ ନିଜର ମାଟିକୁ ସୁରକ୍ଷା ଦେବା ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ବକ୍ତାମାନେ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମାଜବାଦୀ ଜନପରିଷଦ ସଦସ୍ୟ ଅଫଳାଥୁନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମଞ୍ଚର ସଭାପତି ସୁବାସ ସିଂ ମାଝୀ, ସନାତନ ପ୍ରଧାନ, ବିଭୀଷଣ ମାଝୀ, କାର୍ତ୍ତିକ ନାୟକ, ଉପେନ୍ଦ୍ର ଦ୍ରାବିଡ଼, ପୁରୁଷୋତ୍ତମ ବେହେରା, ଧନୁଞ୍ଜୟ ଦ୍ୱୀପ, କାମେଶ ନାଗ, ହୀରାମଲ ନାୟକ, କୁମ୍ବେଶ୍ବରୀ ନାୟକ, ଲଖଣ ନାୟକ, ଜଳେଶ୍ୱର ନାୟକ ଓ ପଦମନ ନାୟକ ପ୍ରମୁଖ ଉଦ୍‌ବୋଧନ ଦେଇ ଆଦିବାସୀଙ୍କ ହକ୍‌ ଓ ସୁରକ୍ଷା ପାଇଁ ସଂଗଠିତ ହେବାକୁ ଆହ୍ୱାନ ଦେଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଓ ଉପସ୍ଥାପନା ଗୋବିନ୍ଦ ନାୟକ ଓ ସନ୍ତୋଷ ନାୟକ କରିଥିଲେ ।

 

Dharitri – Odisha’s No.1 Odia Daily

Share