ଓଲଟିଲା କୋଇଲା ବୋଝେଇ ଟ୍ରକ: ଓଡ଼ିଶା-ଆନ୍ଧ୍ର ଯାତାୟତ ଠପ୍‌

ରାୟଗଡ଼ା,୧୦।୮(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲା ପାର୍ବତୀପୁର ନିକଟରେ ସୋମବାର ଏକ କୋଇଲା ବୋଝେଇ ଏକ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଓଡ଼ିଶା-ଆନ୍ଧ୍ରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟତ ଠପ୍‌ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଅଟକି ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ମିଳିଥିବା ସୂଚନା ମୁତାବକ, ଟ୍ରକଟି ବିଶାଖାପାଟଣାରୁ କୋଇଲା ବୋଝେଇ କରି ରାୟପୁର ଯାଉଥିଲା। ହେଲେ ପାର୍ବତୀପୁର ନିକଟରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସ୍ଥଳରେ କୋଇଲା ରାସ୍ତା ଉପରେ ବିଛେଇ ହୋଇପଡ଼ିଥିବାରୁ ଯାତାୟାତ ଠପ୍‌ ହୋଇଯାଇଥିଲା। ଖବର ପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ରାସ୍ତାରେ ବିଛାଡି ହୋଇ ପଡ଼ିଥିବା କୋଇଲା ଓ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ହଟାଇବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।