Categories: ଖେଳ

୧୧.୧୫ ଟାଇମିଂ ହେଉଛି ମୂଳ ଲକ୍ଷ୍ୟ: ଦୂତୀ

ଭୁବନେଶ୍ୱର, ୧୪।୧୦(ସ୍ପୋଟର୍‌ସ ବ୍ୟୁରୋ)- ତାରକା ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି। ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ପୁରସ୍କୃତ ହୋଇଛନ୍ତି। ଆଥଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।
ରବିବାର ୨୦୦ ମିଟର ଦୌଡରେ ସ୍ବର୍ଣ୍ଣ ପଦକ ହାସଲ କରି ପୁଣି ଥରେ ନିଜର ଶ୍ରେଷ୍ଠତ୍ୱ ଜାହିର କରିଛନ୍ତି। ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ୨୦୦ ମିଟର ଫାଇନାଲ ରେସ୍‌ରେ ସେ ତାଙ୍କ ସେମି ପ୍ରଦର୍ଶନରେ ଉନ୍ନତି ଆଣି ୨୩.୧୭ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ତାମିଲନାଡୁର ଅର୍ଚ୍ଚନା ସୁସେନ୍ଦ୍ରନ ୨୩.୪୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି। ରେଲଓ୍ବେର ଚନ୍ଦ୍ରଲେଖା ଆନନ୍ଦନ ୨୩.୭୪ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଦୂତୀ ନିଜ ପ୍ରଦର୍ଶନରେ ସନ୍ତୋଷ ପ୍ରକଟ କରିଛନ୍ତି। ଏ ବର୍ଷ ମୋର ପ୍ରଦର୍ଶନରେ ଯଥେଷ୍ଟ ଉନ୍ନତି ହୋଇଛି ବୋଲି ଦୂତୀ କହିଛନ୍ତି। ୨୦୧୬ରେ ମୋର ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ଥିଲା ୧୧.୨୪। ଏହା ଆଲମାଟିରେ ହାସଲ କରିଥିଲି। ତେବେ ୨୦୧୭ /୧୮ରେ ମୋର ପ୍ରଦର୍ଶନରେ ସେଭଳି ଉନ୍ନତି ହୋଇ ନ ଥିଲା। ୨୦୧୯ରେ ପ୍ରଦର୍ଶନ ଭଲ ରହିଲା। ଏବେ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ପ୍ରସ୍ତୁତି ଚଳାଇଛି। ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ୧୧.୧୫ ଟାର୍ଗେଟ ରଖାଯାଇଛି। ଏବେ ଏହାକୁ ହାସଲ କରିବା ମୋର ମୂଳ ଲକ୍ଷ୍ୟ ବୋଲି ଦୂତୀ କହିଛନ୍ତି। ଦୋହାରେ ଅନୁଷ୍ଠିତ ବିଶ୍ୱ ଚାମ୍ପିୟନଶିପ୍‌ରେ ଭଲ ପ୍ରଦର୍ଶନ କରି ନ ପାରି ନିରାଶ ହୋଇଥିଲି। ଏହି ମେଗା ଇଭେଣ୍ଟରେ ଫାଇନାଲରେ ପ୍ରବେଶ କରିପାରି ନ ଥିଲି ଓ ମେଡାଲ ମଧ୍ୟ ହାସଲ କରିପାରି ନ ଥିଲି। ଏହାପରେ ଭାବିଥିଲି ପ୍ରଦର୍ଶନରେ ଆଉ ଉନ୍ନତି ଆସିବ ନାହିଁ। ଏବେ ମୁଁ ସ୍ପେଶାଲ ଟ୍ରେନିଂ ନେଉଛି। କୋଚ, ଆସିଷ୍ଟାଣ୍ଟ କୋଚ୍‌, ଫିଜିଓ, ଟ୍ରେନରଙ୍କ ସହାୟତାରେ କଳିଙ୍ଗ ଷ୍ଟାଡିୟମରେ ଟ୍ରେନିଂ ନେଉଛି। ଯଦି ଟ୍ରେନିଂ ପାଇଁ ବିଦେଶ ଯିବାକୁ ହୁଏ ତାହାଲେ ଯିବି। ରାଜ୍ୟ ସରକାର ମୋତେ ପ୍ରତିଶ୍ରୁତି ଅନୁଯାୟୀ ସହାୟତା ପ୍ରଦାନ କରୁଛନ୍ତି। ଯଦି ସବୁ କିଛି ଠିକ୍‌ଠାକ ଚାଲେ ତାହାଲେ ଅଲିମ୍ପିକ୍‌ ଯୋଗ୍ୟତା ହାସଲ କରିବି ବୋଲି ଦୂତୀ କହିଛନ୍ତି।

Share