Categories: ଖେଳ

ହେଲ୍ସଙ୍କଠାରେ କରୋନା ଲକ୍ଷଣ: ରାଜା

କରାଚୀ,୧୮।୩ (ପି.ଟି.)- ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)କୁ ସ୍ଥଗିତ ରଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଙ୍ଗଳବାର ନିଷ୍ପତ୍ତି ନେଇଛି। ଜଣେ ବିଦେଶୀ ଖେଳାଳିଙ୍କଠାରେ କାରୋନା ଭାଇରସନ (କୋଭିଡ- ୧୯) ଲକ୍ଷଣ ଦେଖାଦେଇଛି ବୋଲି ପିସିବି ସ୍ପଷ୍ଟ କରିଛି। ତେବେ ଇଂଲଣ୍ଡ ତାରକା କ୍ରିକେଟର ଆଲେକ୍ସ ହେଲ୍ସଙ୍କଠାରେ ଏହି ଲକ୍ଷଣ ଦେଖାଯାଇଛି ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ ତଥା ଭାଷ୍ୟକାର ରମିଜ ରାଜା ଦାବି କରିଛନ୍ତି।
ପିଏସ୍‌ଏଲ୍‌ ନକ୍‌ ଆଉଟ ପର୍ଯ୍ୟାୟ ତଥା ସେମିଫାଇନାଲରେ ପ୍ରବେଶ କରିଥିଲା। ଲାହୋରରେ ମଙ୍ଗଳବାର ସେମିଫାଇନାଳ ଓ ବୁଧବାର ଫାଇନାଲ ଖେଳାଯିବାରୁ କାର୍ଯ୍ୟକ୍ରମ ରହିଥିଲା। କରୋନା ଭାଇରସ କାରଣରୁ ପିସିବି ଲିଗ୍‌କୁ ୪ ଦିନ ଛୋଟ କରିଥିଲା। କିନ୍ତୁ ଶେଷରେ ପିସିବି ଏହି ଲିଗ୍‌ ସ୍ଥଗିତ କରିବାକୁ ବାଧ୍ୟ ହୋଇଛି। ପରିସ୍ଥିତି ନେଇ ବିସ୍ତୃତ ଭାବେ ଆଲୋଚାନ କରିବା ପରେ ଆମେ ଏପରି ନିଷ୍ପତ୍ତି ନେଇଛୁ ବୋଲି ପିସିବି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଓ୍ବାସିମ୍‌ ଖାନ କହିଛନ୍ତି। ଜଣେ ଖେଳାଳି ପାକିସ୍ତାନ ଛାଡିବା ପରେ ତାଙ୍କଠାରେ ଏହି ଭାଇରସର ଲକ୍ଷଣ ଦେଖିବାକୁ ମିଳିଥିବା କଥା କହିଥିଲେ। ତେବେ ଏ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ କୌଣସି ମାମଲା ଆଦୌ ଆସିନାହିଁ।
ଅନ୍ୟପଟେ ସମ୍ପୃକ୍ତ ଖେଳାଳି ଜଣକ ଆଲେକ୍ସ ହେଲ୍ସ ହୋଇପାରନ୍ତି ବୋଲି ରାଜା କହିଛନ୍ତି। ସାବଧାନତା ଦୃଷ୍ଟିକୋଣରୁ ପିଏସ୍‌ଏଲର ସବୁ ଖେଳାଳି ଓ ବ୍ରଡକାଷ୍ଟରଙ୍କ ପରୀକ୍ଷା କରାଯାଇଛି। ତେବେ ହେଲ୍ସଙ୍କଠାରେ ଦେଖାଦେଇଥିବା ଲକ୍ଷଣ କରୋନ ଭାଇରସ କାରଣରୁ କହିବା ଠିକ୍‌ ହେବ ନାହିଁ ବୋଲି ରାଜା କହିଛନ୍ତି। ତାଙ୍କର ଏପର୍ଯ୍ୟନ୍ତ ପରୀକ୍ଷା ହୋଇନାହିଁ।
ଇଂଲଣ୍ଡରେ ପହଞ୍ଚିବା ପରେ ୩୧ ବର୍ଷୀୟ ହେଲ୍ସ ନିଜଆଡୁ ଆସୋଲେଶନରେ ରହିଛନ୍ତି। ରବିବାର ସକାଳୁ ମୋତେ ଜ୍ୱର ହୋଇଥିବା ଜାଣିବାକୁ ପାଇଥିଲି। ପରେ ମୋର କ୍ରମାଗତ ଭାବେ କାଶ ହୋଇଥିଲା ବୋଲି ହେଲ୍ସ କହିଛନ୍ତି। ପରୀକ୍ଷା ହୋଇ ନ ଥିବାରୁ ଏବେ କିଛି କହିବା କଷ୍ଟକର ବୋଲି ସେ କହିଛନ୍ତି। ପିଏସ୍‌ଏଲ୍‌ରେ ସାମିଲ ହୋଇଥିବା ୩୪ ବିଦେଶୀ ଖେଳାଳି ଗତ ସପ୍ତାହରେ ଘରକୁ ଫେରିବା ଆରମ୍ଭ କରିଛନ୍ତି। କୌଣସି ଖେଳାଳିଙ୍କୁ ଲିଗ୍‌ରୁ ଫେରିବାରେ ରୋକାଯିବ ନାହିଁ ବୋଲି ପିସିବି କହିଛି। ପୂର୍ବରୁ ସେମବାର ପିସିବି ବାଂଲାଦେଶ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜକୁ ମଧ୍ୟ ବାତିଲ କରିସାରିଛି। ସେହିପରି ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଜାତୀୟ ଦିନିକିଆ କପ୍‌କୁ ମଧ୍ୟ ବାତିଲ କରାଯାଇଛି।
ଉଲ୍ଲେଖଥାଉ କି, କରୋନା ଭାଇରସ କାରଣରୁ ବିଶ୍ୱରେ ଏପର୍ଯ୍ୟନ୍ତ ୭୦୦୦ ଲୋକ ମୃତ୍ୟୁବରଣ କରିଛନ୍ତି। ପାକିସ୍ତାନରେ ୨୦୦ଜଣ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସମେତ ଏକାଧିକ ସିରିଜ ମଧ୍ୟ ସ୍ଥଗିତ କିମ୍ବା ବାତିଲ କରାଯାଇଛି।

Share