Categories: ଖେଳ

ହାସନେନ କୀର୍ତ୍ତିମାନ

ଲାହୋର, ୭।୧୦- ଯୁବ ପାକିସ୍ତାନ ଦ୍ରୁତ ବୋଲର ମହମ୍ମଦ ହାସନେନ କ୍ୟାରିୟରର ୨ୟ ଟି୨୦ ମ୍ୟାଚ୍‌ରେ ନିଜ ନାମକୁ ରେକର୍ଡ ବୁକ୍‌ରେ ସ୍ଥାପନ କରିଛନ୍ତି। କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍‌ ଟି୨୦ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିବାରେ ସେ ବିଶ୍ୱର ସର୍ବକନିଷ୍ଠ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ ଅବସରରେ ହାସନେନ ଏହି ସଫଳତା ପାଇଛନ୍ତି। ଏହି ଡାହାଣହାତୀ ଦ୍ରୁତ ବୋଲର ଯଥାକ୍ରମେ ୩ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ଭାନୁକା ରାଜପାକସା (୩୨ ରନ), ଦସୁନ ଶନକା (୧୭) ଓ ଶେହାନ ଜୟସୁରିୟା (୨)ଙ୍କୁ ଆଉଟ୍‌ କରି ହ୍ୟାଟ୍ରିକ ଅର୍ଜନ କରିଥିଲେ। ହ୍ୟାଟ୍ରିକ ଅର୍ଜନ ଦିନ ହାସନେନଙ୍କୁ ୧୯ ବର୍ଷ ୧୮୩ ଦିନ ହୋଇଥିଲା। ଏହିକ୍ରମରେ ସେ ଆଫଗାନିସ୍ତାନର ରଶିଦ ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ରଶିଦଙ୍କୁ ୨୦ ବର୍ଷ ହୋଇଥିବାବେଳେ ସେ ଟି୨୦ରେ ହ୍ୟାଟ୍ରିକ ଉଇକେଟ୍‌ ଅକ୍ତିଆର କରିବାରେ ସର୍ବକନିଷ୍ଠ ବୋଲର ବିବେଚିତ ହୋଇଥିଲେ।
ହ୍ୟାଟ୍ରିକ ସତ୍ତ୍ୱେ ଘରୋଇ ପାକିସ୍ତାନ ପ୍ରଥମ ଟି୨୦ରେ ୩୪ ରନରେ ପରାସ୍ତ ହୋଇଛି। ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ଦନୁଷ୍କା ଗୁଣଥିଲକା (୫୭ ରନ), ଅଭିଷେକ ଫର୍ନାଣ୍ଡୋ (୩୩)ଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୨୦ ଓଭରରେ ୫ ଉଇକେଟ୍‌ ହରାଇ ୧୬୫ ରନ କରିଥିଲା। ପାକିସ୍ତାନ ପକ୍ଷରୁ ହାସନେନ ସର୍ବାଧିକ ୩ ଉଇକେଟ୍‌ ନେଇଥିଲେ। ଜବାବରେ ପାକିସ୍ତାନ ୧୭.୪ ଓଭରରେ ୧୦୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ୮ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ବିଶିଷ୍ଟ ସ୍କୋର ଛୁଇଁ ପାରି ନ ଥିଲେ। ସିରିଜର ୨ୟ ମ୍ୟାଚ୍‌ ସୋମବାର ଖେଳାଯିବ।

Share