Categories: ଖେଳ

ହାରିଲା ଭାରତ ଏ’

ଆଣ୍ଟିଗୁଆ,୨୦।୭- ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦ୍ୱାରା ଧାର୍ଯ୍ୟ ୨୯୯ ରନ୍‌ର ବିଜୟଲକ୍ଷ୍ୟ ପିଛା କରୁଥିବା ଭାରତ ଏ’ ୨୯୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ୫ ମ୍ୟାଚ୍‌ ବିଶିଷ୍ଟ ଅନ୍‌ଅଫିସିଆଲ ସିରିଜ୍‌ରେ ଭାରତ ଏ’ ପ୍ରଥମ ପରାଜୟ ବରଣ କରିଛି। ଆଉ ଏକ ମ୍ୟାଚ୍‌ ବଳକା ଥିବାବେଳେ ଭାରତ ଏ’ ୩-୧ ବ୍ୟବଧାନରେ ସିରିଜ୍‌ରେ ଆଗୁଆ ରହିଛି। ଅନ୍ତିମ ମ୍ୟାଚ୍‌ ୨୧ ତାରିଖରେ ଖେଳାଯିବ।
ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୯ ଉଇକେଟ ହରାଇ ୨୯୮ ରନ୍‌ କରିଥିଲା। ଦଳ ଲାଗି ରୋଷ୍ଟନ ଚେଜ ୮୪ ଓ ଜୋନାଥନ କାର୍ଟର ୫୦ ରନ୍‌ କରିଥିଲେ। ଭ୍ରମଣକାରୀ ଦଳ ପାଇଁ ଖଲିଲ ଅହମ୍ମଦ ୪ ଓ ଅଭେଷ ଖାନ ୩ ଉଇକେଟ ନେଇଥିଲେ। ଜବାବରେ ଭାରତ ଏ’ ଦଳ ଇନିଂସ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୩୨ତମ ଓଭର ସୁଦ୍ଧା ଭାରତୀୟ ଦଳ ୬ ଉଇକେଟ ହରାଇ ୧୬୦ ରନ୍‌ କରିଥିଲା। ଅକ୍ଷର ଓ ଓ୍ବାଶିଂଟନ ସୁନ୍ଦର ୭ମ ଉଇକେଟ ଲାଗି ୬୦ ରନ୍‌ କରିଥିଲେ। ଓ୍ବାଶିଂଟନ ୪୫ ରନ୍‌ କରି ଆଉଟ ହୋଇଥିଲେ। ଏହାପରେ ଅକ୍ଷର ଏକାକୀ ଘରୋଇ ବୋଲରଙ୍କୁ ଆକ୍ରମଣ କରି ଭାରତ ଏ’ ଲାଗି ବିଜୟ ସମ୍ଭାବନା ସୃଷ୍ଟି କରିଥିଲେ। ହେଲେ ସଫଳ ହୋଇ ପାରି ନ ଥିଲେ। ଫଳରେ ଭାରତ ଏ’ ବିଜୟଠାରୁ ୬ ରନ୍‌ ଦୂରରେ ରହିଯାଇଥିଲା।

Share