Categories: ଖେଳ

ହାମିଲଟନ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କ୍ୟାସଲେଟ୍‌ (ଫ୍ରାନ୍ସ), ୨୪ା୬ (ଏଏଫ୍‌ପି)-ମର୍ସିଡିଜ ଟିମ୍‌ମେଟ୍‌ ଭାଲ୍‌ଟେରି ବୋଟାସଙ୍କୁ ପଛରେ ପକାଇ ଲୁଇସ୍‌ ହାମିଲଟନ ଫ୍ରେଞ୍ଚ୍‌ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଟାଇଟଲ ହାସଲ କରିଛନ୍ତି। ଏହାଦ୍ୱାରା ଚାମ୍ପିୟନଶିପ୍‌ରେ ସେ ଅଗ୍ରଣୀ ବ୍ୟବଧାନକୁ ବୃଦ୍ଧି କରିଛନ୍ତି। ହାମିଲଟନଙ୍କ ଏହା କ୍ରମାଗତ ୪ର୍ଥ, ସିଜନର ୬ଷ୍ଠ ଏବଂ କ୍ୟାରିୟରର ୭୯ତମ ଟାଇଟଲ। ରବିବାର ଏହି ବିଜୟ ଦ୍ୱାରା ୨୦୧୯ ସିଜନରେ ମର୍ସିଡିଜ ଏପର୍ଯ୍ୟନ୍ତ ଅନୁଷ୍ଠିତ ସମସ୍ତ ୮ଟି ରେସ୍‌ରେ ବିଜୟ ଲାଭ କରିଛି। ଟିମ୍‌ର ଓଭରଅଲ୍‌ ବିଜୟ ଧାରା ୧୦କୁ ବୃଦ୍ଧି ପାଇଛି। ଚଳିତ ସିଜନର ୨୧ଟି ରେସ୍‌ ମଧ୍ୟରୁ ୮ଟି ଶେଷ ହୋଇଥିବା ବେଳେ ଚାମ୍ପିୟନଶିପ୍‌ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ହାମିଲଟନ ୧୮୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ବୋଟାସ ୧୫୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରେସ୍‌ରେ ଟପ୍‌ ୧୦ରେ ସ୍ଥାନ ପାଇଥିବା ଅନ୍ୟ ଡ୍ରାଇଭରମାନେ ହେଲେ ଯଥାକ୍ରମେ ଚାଲର୍‌ସ ଲେକ୍‌ରେକ୍‌ (ଫେରାରି), ମାକ୍ସ ଭର୍ଷ୍ଟାପେନ୍‌ (ରେଡ୍‌ବୁଲ୍‌), ସେବାଷ୍ଟିଆନ ଭେଟେଲ (ଫେରାରି), କାର୍ଲୋସ ସେଞ୍ଜ୍‌ ଜୁନିୟର (ମ୍ୟାକଲରେନ), ଡାନିଏଲ୍‌ ରିକାର୍ଡୋ(ରେନଲ୍ଟ), କିମି ରାଇକୋନେନ(ଆଲ୍‌ଫା ରୋମିଓ), ନିକୋ ହକେନବର୍ଗ (ରେନଲ୍ଟ) ଏବଂ ଲାଣ୍ଡୋ ନୋରିସ ( ମ୍ୟାକଲରେନ)।

Share