ଜୁନାଗଡ, ୫।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ହାବସପୁର ଗ୍ରାମରେ ଜଳକଷ୍ଟ ଦେଖାଦେଇଛି। ଗ୍ରାମରେ ପ୍ରକଳ୍ପ ଥିଲେ ବି ଲୋକେ ପାଇପ ପାଣି ପାଇବାରୁ ବଞ୍ଚିତ ରହିଛନ୍ତି। ଓଭରହେଡ ଟ୍ୟାଙ୍କରେ ଲାଗିଥିବା ମୋଟର ବିଦ୍ୟୁତ୍ ସମସ୍ୟା ଯୋଗୁ ଚାଲି ନ ପାରିବାରୁ ଏହି ସମସ୍ୟା ଉପୁଜିଛି।
୫ ୱାର୍ଡ ବିଶିଷ୍ଟ ହାବସପୁର ଗ୍ରାମର ଜନସଂଖ୍ୟା ପ୍ରାୟ ୨୫ଶହ। ଗ୍ରାମରେ ଜଳ ସମସ୍ୟାକୁ ଆଖି ଆଗରେ ରଖି ୨୦୧୧ ମସିହାରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏକ ଓଭରହେଡ ଟାଙ୍କି ନିର୍ମାଣ କରାଯାଇଥିଲା। ନିକଟସ୍ଥ ହାତୀନଦୀରୁ ପାଣି ଆସି ଏହି ଟ୍ୟାଙ୍କର ଜମା କରାଯାଇ ଗ୍ରାମରେ ଯୋଗାଣ ହେଉଥିଲା। ତେବେ ପ୍ରାୟ ସମୟରେ ବିଦ୍ୟୁତ୍ ସମସ୍ୟା ଯୋଗୁ ପାଣିଟାଙ୍କିରେ ଲାଗିଥିବା ମୋଟର ଚାଲୁ ନାହିଁ। ଏଥିଯୋଗୁ ଗ୍ରାମରେ ପ୍ରାୟ ସମୟରେ ଜଳ ଯୋଗାଣ ବନ୍ଦ ରହୁଛି। ବିଭାଗ ପକ୍ଷରୁ ଏଥିପ୍ରତି ଆବଶ୍ୟକ ଦୃଷ୍ଟି ଦିଆାଯାଉ ନ ଥିବାରୁ ଏବେ ପରିସ୍ଥିତି ସଙ୍ଗୀନ ହୋଇଛି। ଏ ନେଇ ବିଭାଗୀୟ ଯନ୍ତ୍ରୀ ବିନୋଦ କୁମାର ସିଂଙ୍କୁ ପଚାରିବାରୁ ଦୁଇଦିନ ତଳେ ଜଳଯୋଗାଣ ହୋଇଥିଲା। ଏବେ ମହିଚଲା ଗ୍ରୀଡରୁ ଆସୁଥିବା ବିଦ୍ୟୁତ୍ ସମସ୍ୟା ରହିଥିବାରୁ ଜଳଯୋଗାଣ ବନ୍ଦ ରହିଛି। ବିଭାଗୀୟ ଯନ୍ତ୍ରୀଙ୍କ ସହ କଥାହୋଇ ଏହାର ସମାଧାନ କରାଯିବ ବୋଲି କହିଥିଲେ।


