ହାଡ଼ଭଙ୍ଗା ଚିକିତ୍ସାଳୟରେ ଚାଲିଥିଲା ବେଆଇନ ଗର୍ଭପାତ: ନୟାଗଡ଼ ଟାଉନ ଥାନା ପୋଲିସର ଚଢ଼ାଉ; ଦୁଇ ଅଟକ

ନୟାଗଡ଼ ଅଫିସ,୨ା୬- ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ଥିବା ଏକ ହାଡ଼ଭଙ୍ଗା ଚିକିତ୍ସାଳୟ ( କ୍ଲିନିକ୍‌)ରେ ଚାଲୁଥିଲା ବେଆଇନ୍‌ ଗର୍ଭପାତ। ଶନିବାର ବିଳମ୍ବିତ ରାତ୍ରିରେ ଏ ନେଇ ଖବର ପାଇ ନୟାଗଡ଼ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜଣେ ଦମ୍ପତିଙ୍କୁ ଉଦ୍ଧାର କରିବା ସହିତ ଦୁଇ ଜଣଙ୍କୁ ଅଟକ ରଖିଛି। ଦମ୍ପତିଙ୍କ ଘର କଟକ ଜିଲା ନରସିଂହପୁର ହୋଇଥିବା ବେଳେ ସେ ନୟାଗଡ଼କୁ ଗର୍ଭପାତ କରିବାକୁ ଆସିଥିଲେ। ସେହିଭଳି ଟାଉନ ଥାନାରେ ଅଟକ ଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଘର ନୟାଗଡ଼ ବ୍ଳକ ସରପଡ଼ା ଗ୍ରାମ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଘର ନୂଆଗାଁ ବ୍ଳକ ଢେଙ୍କେଣା ଗ୍ରାମରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଉକ୍ତ ଦମ୍ପତିଙ୍କ ୪ ବର୍ଷର ଯାଆଁଳା ଶିଶୁ କନ୍ୟା ଅଛି। ମହିଳା ଜଣଙ୍କ ଏବେ ୩ ମାସର ଗର୍ଭବତୀ ହୋଇଥିବା ବେଳେ ତାଙ୍କ ପେଟରେ କନ୍ୟା ସନ୍ତାନ ଥିବା ଜାଣିବାକୁ ପାଇଥିଲେ। ମହିଳା ଜଣଙ୍କ ନରସିଂହପୁର ଅଞ୍ଚଳର ଏକ ନର୍ସିଂ ହୋମ୍‌ରେ ଦେଖାଉଥିବା ବେଳେ ସେଠାରେ ଥିବା ଜଣେ ନର୍ସ ନୟାଗଡ଼ରେ ଗର୍ଭପାତ ହେଉଥିବାର ନେଇ ସୂଚନା ଦେଇଥିଲେ। ଫଳରେ ଦମ୍ପତି ଜଣଙ୍କ ଶନିବାର ନୟାଗଡ଼କୁ ଆସିଥିଲେ। ଉକ୍ତ କ୍ଲିନକ୍‌ର ନାମ ନ ଥିବା ବେଳେ କାଗଜପତ୍ରରେ ନୟାଗଡ଼ ଡାଇଗ୍ଲୋଷ୍ଟିକ୍‌ ଲେଖାଯାଇଛି। ଶନିବାର ମହିଳା ଜଣଙ୍କୁ ସେଠାରେ ଥିବା ବ୍ୟକ୍ତି ଜଣଙ୍କ ମେଡ଼ିସିନ୍‌ ଓ ଇଞ୍ଜେକସନ୍‌ ଦେଇ ସାରିଥିବା ବେଳେ ରାତ୍ର ୧୧ଟା ୩୦ରେ ନୟାଗଡ଼ ପୋଲିସ ଟିମ୍‌ ପହଁଞ୍ଚିଥିଲା। ପରେ ମହିଳା ଜଣଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚଢ଼ାଉରେ ନୟାଗଡ଼ ତହସିଲଦାର ମନୋରଂଜନ ସାହୁ, ଏଡ଼ିଏମ୍‌ଓ ସୁରେଶ କୁମାର ମିଶ୍ର ଉପସ୍ଥିତ ଥିଲେ। ସେହିଭଳି କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା ତହସିଲଦାର ମନୋରଂଜନ ସାହୁ ସୂଚନା ଦେଇଥିଲେ।


ପ୍ରକାଶଯୋଗ୍ୟ, ପୂର୍ବରୁ ନୟାଗଡ଼ ଜିଲା କନ୍ୟାଭ୍ରୁଣ ହତ୍ୟା ନିନ୍ଦା ମୁଣ୍ଡାଇଥିବା ବେଳେ ଏହି ଘଟଣା ଜିଲାକୁ ଆହୁରି ନିନ୍ଦିତ କରି ଦେଇଛି। ସେହିଭଳି ଅଟକ ହୋଇଥିବା ଜଣେ ଯୁବକ ସେଠାରେ ବର୍ଷେ ହେଲାଣି ଏହିଭଳି ବେଆଇନ୍‌ ଗର୍ଭପାତ ହୋଇଥିବା ନେଇ ସ୍ବୀକାର କରିଛନ୍ତି।