Categories: ଖେଳ

ହାଇକୋର୍ଟ ବାର୍‌ ଚାମ୍ପିୟନ, ଭୁବନେଶ୍ୱର ରନର୍ସଅପ୍‌

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)-
ବିଜେବି କଲେଜ ପଡ଼ିଆରେ ୬ଷ୍ଠ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଅଲ୍‌ ଓଡ଼ିଶା ଆଇନଜୀବୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ଗୁରୁବାର ଅନୁଷ୍ଠିତ ଫାଇନାଲରେ ଭୁବନେଶ୍ୱରକୁ ୮ ଉଇକେଟରେ ହରାଇ ହାଇକୋର୍ଟ ବାର୍‌ ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ବାର୍‌ ବ୍ୟାଟିଂ ବିଫଳତା ଯୋଗୁ ୨୦ ଓଭରରେ ୧୧୧ ରନ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ସୁମନ ରାଉତରାୟ ସର୍ବାଧିକ ୩୦ ରନ କରିବାକୁ ସକ୍ଷମ ହୋଇଥିଲେ। ପ୍ରତିପକ୍ଷ ଦଳର ବିପ୍ଳବ ଶିଳାଦିତ୍ୟ ୧୧ ରନରେ ୪ଟି ଏବଂ ସଞ୍ଜୀବ ସେଠୀ ୮ ରନରେ ୩ଟି ଉଇକେଟ ନେଇ ଭୁବନେଶ୍ୱର ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ୧୧୨ ରନର ବିଜୟ ଲକ୍ଷ୍ୟକୁ ହାଇକୋର୍ଟ ବାର୍‌ ୧୬ ଓଭରରେ ୨ ଉଇକେଟ ହରାଇ ହାସଲ କରିଥିଲା। ପାର୍ଥ ସାରଥି ଆଚାର୍ଯ୍ୟ ୩୦ ବଲ୍‌ରେ ୪୪ ଓ ଅମିତାଭ ନାଏକ ୩୬ ବଲ୍‌ରେ ୩୮ରନରେ ଅପରାଜିତ ରହି ଦଳକୁ ଜିତାଇଥିଲେ। ପାର୍ଥସାରଥି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଫାଇନାଲ ପୂର୍ବରୁ ଅନୁଷ୍ଠିତ ପ୍ରଦର୍ଶନୀ ମ୍ୟାଚରେ ଜିଲା ଜଜ୍‌ ଏକାଦଶ ୧୩ ରନରେ ସଭାପତି ଏକାଦଶକୁ ପରାସ୍ତ କରିଥିଲା। ସତ୍ୟରଞ୍ଜନ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ହାଇକୋର୍ଟ ବିଚାରପତି ପ୍ରଥମ କୁମାର ପଟ୍ଟନାୟକ ଏବଂ ବିଚାରପତି ଅକ୍ଷୟ କୁମାର ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଜଜ୍‌ ଏକାଦଶ ପକ୍ଷରୁ ଜିଲା ଜଜ୍‌ ଲୋକନାଥ ମହାପାତ୍ର, ଭୁବନେଶ୍ୱର ବାର୍‌ ପକ୍ଷରୁ ସୁମନ ରାଉତରାୟ ଓ ହାଇକୋର୍ଟ ବାର୍‌ ପକ୍ଷରୁ ଅଧିନାୟକ ସିଦ୍ଧାର୍ଥ ଶଙ୍କର ରାୟ ଟ୍ରଫି ଗ୍ରହଣ କରିଥିଲେ। ଜୟନ୍ତ ଜେନା ମ୍ୟାନ ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ସୁମନ୍ତ ନାୟକ, ପ୍ରିନ୍ସ ପଟ୍ଟନାୟକ ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ବୋଲର ବିବେଚିତ ହୋଇଥିଲେ।

Share