Categories: ଖେଳ

ହସ୍ପିଟାଲରେ ପରିଣତ ହେଲା ସାଓ ପାଉଲୋ ଷ୍ଟାଡିୟମ

ସାଓ ପାଉଲୋ, ୨୫।୩ (ଏପି)- ପ୍ରାଣଘାତୀ କରୋନା ଭାଇରସ୍‌ ସାରା ବିଶ୍ୱରେ ଏହାର ଆତଙ୍କ ଖେଳାଇ ଚାଲିଛି। ଏହାକୁ ମୁକାବିଲା କରିବା ପାଇଁ ବ୍ରାଜିଲ ସାଓ ପାଉଲୋସ୍ଥିତ ପାକାଏମ୍ବୁ ଷ୍ଟାଡିୟମକୁ ଓପନ୍‌-ଏୟାର ହସ୍ପିଟାଲରେ ପରିଣତ କରାଯାଇଛି। କରୋନା ଭାଇରସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସା ଏଠାରେ କରାଯିବ। ୪୫ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ୨୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିକିତ୍ସିତ ହୋଇପାରିଲା ଭଳି ବ୍ୟବସ୍ଥା କରାଯିବ। ଏହାକୁ ଆଗାମୀ ୧୦ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିର୍ମାଣର ୨ୟ ଦିନ ସୁଦ୍ଧା ସାଓ ପାଉଲୋ ଷ୍ଟାଡିୟମରେ ତାର ଓ କେବୁଲ ପହଞ୍ଚତ୍ ସାରିଛି। ବ୍ରାଜିଲର ଏହି ବଡ଼ ସହରର କିଛି ପ୍ରମୁଖ ହସ୍ପିଟାଲ ପାଖରେ ଏହି ଷ୍ଟାଡିୟମ ରହିଛି। ୨୦୧୪ ଫିଫା ବିଶ୍ୱକପ୍‌ ସମୟରେ ମ୍ୟାଚ୍‌ ଆୟୋଜନ ହୋଇଥିବା ସମସ୍ତ ଷ୍ଟାଡିୟମକୁ ଏହିଭଳି ଓପନ୍‌ ଏୟାର ହସ୍ପିଟାଲ ଓ ସ୍ବାସ୍ଥ୍ୟ କେନ୍ଦ୍ର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏଠାରେ ପ୍ରକାଶଯୋଗ୍ୟ, ସୋମବାର ଅପରାହ୍ନ ସୁଦ୍ଧା ବ୍ରାଜିଲରେ ୧୬୦୦ ବ୍ୟକ୍ତି କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Share