ହରିଦ୍ୱାର-ଋଷିକେଶକୁ ଗଲେ ୯୭୦ଜଣ ବରିଷ୍ଠ ତୀର୍ଥଯାତ୍ରୀ, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସେବା ଭବନରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ବାଲେଶ୍ୱର ଷ୍ଟେଶନରୁ ହରିଦ୍ୱାର-ଋଷିକେଶକୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଷ୍ଟେଶନରୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର ଓ କେନ୍ଦୁଝର ଜିଲାର ୯୭୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ଟ୍ରେନ୍‌ ହରିଦ୍ୱାର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଯାତ୍ରୀଙ୍କ ସହାୟତା ପାଇଁ ୩୦ଜଣ ଏସ୍‌କଟ୍‌ ଅଫିସର ମଧ୍ୟ ସେମାନଙ୍କ ସହ ଯାଇଛନ୍ତି। ଏହି ଅବସରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଛନ୍ତି। ଏହି ଅବସରରେ ବାଲେଶ୍ୱର ଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକମାନେ ଉପସ୍ଥିତ ରହିଥିଲେ।

୨୦୧୬ରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରାୟ ୧୨ ହଜାର ବରିଷ୍ଠ ନାଗରିକମାନେ ତୀର୍ଥ ଭ୍ରମଣର ସୁଯୋଗ ପାଇଛନ୍ତି। ୨୦୧୯-୨୦ ବର୍ଷରେ ଆଉ ତିନୋଟି ତୀର୍ଥଯାତ୍ରୀ ଦଳ ବ୍ରହ୍ମପୁରରୁ ରାମେଶ୍ୱର-ମଦୁରାଇ(ଜାନୁଆରୀ ୨୦୨୦), ସମ୍ବଲପୁରୁରୁ ଆଗ୍ରା-ମଥୁରା-ବୃନ୍ଦାବନ(ଫେବୃଆରୀ ୨୦୨୦), ଭୁବନେଶ୍ୱରରୁ ଆଲାହାବାଦ-ବନାରସ(ଫେବୃଆରୀ ୨୦୨୦)କୁ ଭ୍ରମଣର ସୁଯୋଗ ପାଇପାରିବେ।