Categories: ଖେଳ

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮-
ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ ଦିବସରେ ଅର୍ଦ୍ଧଶତକ ହାସଲ କରିଥିଲେ ଭାରତର ହନୁମା ବିହାରୀ ଓ ଅଜିଙ୍କ୍ୟ ରାହାନେ। ଉଭୟଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ଏହାର ଦ୍ୱିତୀୟ ଇନିଂସକୁ ୧୮୮/୫ରେ ଘୋଷଣା କରିଥିଲା। ମୟଙ୍କ ଅଗ୍ରଓ୍ବାଲ (୧୩), ରିଷଭ ପନ୍ତ (୧୯), ରବୀନ୍ଦ୍ର ଜାଡେଜା (୯) ପ୍ରଭାବୀ ବ୍ୟାଟିଂ କରିବାରେ ବିଫଳ ହୋଇଥିବାବେଳେ ହନୁମା ବିହାରୀ ୧୨୫ ବଲ୍‌ରୁ ୯ ଚୌକା ଓ ୧ ଛକା ସହାୟତାରେ ସର୍ବାଧିକ ୬୪ ଓ ରାହାନେ ୧୬୨ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୫୪ ରନ ସ୍କୋର କରିଥିଲେ। ମାତ୍ର ୨୨ ରନରେ ଭାରତର ପ୍ରଥମ ଉଇକେଟ ପଡ଼ିଥିବାବେଳେ ହନୁମା ଓ ରାହାନେ ଦ୍ୱିତୀୟ ଉଇକେଟରେ ୯୬ ରନ ଯୋଗ କରି ସ୍ଥିତି ସମ୍ଭାଳି ନେଇଥିଲେ। ଓ୍ବେଷ୍ଟଇଣ୍ଡିଜ ‘ଏ’ ପକ୍ଷରୁ ଆକିମ ଫ୍ରାଜର ୨ଟି ଏବଂ ରୋମାରିଓ ଶେଫର୍ଡ, ଖାରି ପିଏରେ ଗୋଟିଏ ଲେଖାଏ ଉଇକେଟ ନେଇଥିବାବେଳେ ରିଷଭ ପନ୍ତ ରନଆଉଟ ହୋଇଥିଲେ। ଇନିଂସ ଘୋଷଣା କରି ଭାରତ ଘରୋଇ ଓ୍ବେଷ୍ଟଇଣ୍ଡିଜ ‘ଏ’ ସମ୍ମୁଖରେ ୩୦୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ‘ଏ’ ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୪୭ ରନ କରିଥିବାବେଳେ ଉଭୟ ଦଳର ଅଧିନାୟକ ମ୍ୟାଚ ବନ୍ଦ କରିବାକୁ ରାଜି ହୋଇଥିଲେ। ଜେରେମି ସୋଲୋଜାନୋ ୧୬, କାଭେମ୍‌ ହଜ୍‌ ୫ ଓ ବ୍ରେଣ୍ଡନ କିଙ୍ଗ ୧୪ ରନ କରି ଆଉଟ ହୋଇଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତ ଏହାର ପ୍ରଥମ ଇନିଂସ୍‌କୁ ୨୯୭/୫ରେ ଘୋଷଣା କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ଏ’ ପ୍ରଥମ ଇନିଂସରେ ୧୮୧ ରନକରି ଅଲଆଉଟ ହୋଇଥିଲା।

Share