Categories: ଖେଳ

ହକି ଖେଳାଳିଙ୍କ ପାଇଁ ବେସିକ୍‌ କୋଚିଂ

ନୂଆଦିଲ୍ଲୀ, ୧୦ା୫- କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ଲକଡାଉନ କଟକଣା ଥିବାରୁ ଖେଳ ସମ୍ଭବ ହେଉନାହିଁ। ତେଣୁ ସିନିୟର ସମ୍ଭାବ୍ୟ କୋର୍‌ ଖେଳାଳିଙ୍କ ପାଇଁ ହକି ଇଣ୍ଡିଆ ଲେଭଲ ବେସିକ୍‌ କୋଚିଂ କୋର୍ସ ଆୟୋଜନ କରିବାକୁ ଯାଉଛି। ଶନିବାର ହକି ଇଣ୍ଡିଆ ପକ୍ଷରୁ ଏହା ପ୍ରକାଶ କରାଯାଇଛି। ବେଙ୍ଗାଲୁରୁସ୍ଥିତ ସାଇ ସେଣ୍ଟରରେ ଥିବା ଖେଳାଳିମାନେ ଏଥିରେ ଭାଗନେବେ। ୩୨ ସିନିୟର ପୁରୁଷ ଓ ୨୩ ସିନିୟର ମହିଳା କୋର୍‌ ସମ୍ଭାବ୍ୟ ଖେଳାଳି ହକି ଇଣ୍ଡିଆର ଏହି ଅନ୍‌ଲାଇନ୍‌ କୋର୍ସ କରିବେ। ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ ପୂର୍ବରୁ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ କୋଚିଂ ଏଜୁକେଶନ କାର୍ଯ୍ୟକ୍ରମରେ ଭାଗନେଇ ଲେଭଲ-୧ କୋଚ୍‌ ପ୍ରମାଣପତ୍ର ହାସଲ କରି ସାରିଛନ୍ତି।
ଭାରତୀୟ କୋଚ୍‌ମାନେ ଯେପରି ତୃଣମୂଳ ସ୍ତରରୁ ଅନ୍ତର୍ଜାତୀୟ ସ୍ତରର ହୋଇପାରିବେ ତାକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ପକ୍ଷରୁ ୨୦୧୯ରୁ କୋଚିଂ ଏଜୁକେଶନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଏବେ ସିନିୟର ଖେଳାଳିମାନଙ୍କୁ ସାମିଲ କରାଯାଇଛି । କୋର୍‌ ଖେଳାଳିମାନେ ଅନ୍‌ଲାଇନ୍‌ ସେସନ ରିଭ୍ୟୁ ପାଇଁ ୩୬ ଘଣ୍ଟା ସମୟ ପାଇବେ । ଏହାପରେ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫଆଇଏଚ୍‌) ନୀତି ନିୟମରେ ଅନ୍‌ଲାଇନ୍‌ରେ ଏକ ପରୀକ୍ଷା ହେବ। ପୁରୁଷ ଖେଳାଳିଙ୍କ ପାଇଁ ଚଳିତମାସ ୧୧ ଏବଂ ମହିଳା ଖେଳାଳିଙ୍କ ପାଇଁ ୧୫ ତାରିଖରେ ଏହି ମୂଲ୍ୟନିର୍ଦ୍ଧାରଣ ପରୀକ୍ଷା ଅନୁଷ୍ଠିତ ହେବ। ଏହି କୋର୍ସଦ୍ୱାରା ଖେଳାଳିମାନେ ଗେମ୍‌ ସମ୍ପର୍କରେ ଏଜୁକେଟ ହେବା ସହ ଜଣେ କୋଚ୍‌ ଦୃଷ୍ଟିକୋଣରୁ ଖେଳକୁ ଦେଖି ପାରିବେ। ଯେଉଁ ଖେଳାଳିମାନେ ବେସିକ୍‌ କୋଚିଂ କୋର୍ସରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବେ ସେମାନେ ଭବିଷ୍ୟତରେ ହକି ଇଣ୍ଡିଆର ଲେଭଲ-୧ କୋଚିଂ କୋର୍ସ କରିପାରିବେ। ଫଳରେ ଖେଳାଳିମାନେ କେବଳ ଜଣେ ଆଥଲେଟଭାବେ ନୁହେଁ କୋଚ୍‌ଭାବେ ମଧ୍ୟ ଉନ୍ନତି କରିପାରିବେ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।

Share