Categories: ଖେଳ

ସୟଦ ମୋଦି ଇଣ୍ଟରନ୍ୟାଶନାଲ: ସୌରଭ ରନର୍ସଅପ୍‌

ଲକ୍ଷ୍ନୌ, ୨।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସୌରଭ ବର୍ମା ରନର୍ସଅପ୍‌ ହୋଇଛନ୍ତି। ସେମିଫାଇନାଲ ପର୍ଯ୍ୟନ୍ତ ଦମ୍‌ଦାର ଅଭିଯାନ ଜାରି ରଖିଥିବା ସୌରଭ ଫାଇନାଲରେ କିନ୍ତୁ ନିରାଶ କରିଥିଲେ। ୨୬ ବର୍ଷୀୟ ସୌରଭ ଫାଇନାଲରେ ୧୫-୨୧, ୧୭-୨୧ ସିଧାସଳଖ ଗେମ୍‌ରେ ଚାଇନିଜ୍‌ ତାଇପେଇର ଓ୍ବାଙ୍ଗ୍‌ ଜୁ ଓ୍ବି’ଙ୍କ ନିକଟରୁ ହାରିଯାଇଥିଲେ। ଏହି ମ୍ୟାଚ୍‌ ଜିତିବାକୁ ଓ୍ବାଙ୍ଗ୍‌’ଙ୍କୁ ୪୮ ମିନିଟ୍‌ ସମୟ ଲାଗିଥିଲା। ସୌରଭ ପୂର୍ବରୁ ଚଳିତ ବର୍ଷ ବିଡବ୍ଲୁଏଫ୍‌ ସୁପର-୧୦୦ ଟାଇଟଲ ହାଇଦ୍ରାବାଦ୍‌ ଓ ଭିଏତ୍‌ନାମରେ ଜିତିଥିଲେ। ଯଦି ଏଠାରେ ସେ ଚାମ୍ପିୟନ ହୋଇଥାନ୍ତେ, ତେବେ କ୍ୟାରିୟରର ପ୍ରଥମ ସୁପର ୩୦୦ ଟ୍ରଫି ହାସଲ କରିଥାନ୍ତେ। ଅପରପକ୍ଷରେ ଗତ ୩ ବର୍ଷ ପରେ ଓ୍ବାଙ୍ଗ୍‌’ଙ୍କ ଏହା ପ୍ରଥମ ଟାଇଟଲ ଥିଲା।

କାରୋଲିନା ଚାମ୍ପିୟନ
ଅପରପକ୍ଷରେ ସ୍ପାନିଶ୍‌ ମହିଳା ବ୍ୟାଡ୍‌ମିଣ୍ଟନ ତାରକା କାରୋଲିନା ମାରିନ ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ସ୍ଥାନୀୟ ବାବୁ ବନସାରୀ ଦାସ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କାରୋଲିନା ୨୧-୧୨, ୨୧-୧୬ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ପିତ୍ତାୟାପର୍ନ ଚାଇଓ୍ବାନ୍‌ଙ୍କୁ ପରାସ୍ତ କରିଥିଲେ। କାରୋଲିନାଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୪୦ ମିନିଟ୍‌ ସମୟ ଲାଗିଥିଲା।

Share