Categories: ଖେଳ

‘ସ୍ମିଥ ଜଣେ ଚିଟର ଭଳି ମନେ ରହିବେ’

ଲଣ୍ଡନ,୯।୯(ପିଟି): ଯେତେ ମାଇଲଷ୍ଟୋନ ଓ ରେକର୍ଡ ହାସଲ କଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ବ୍ୟାଟିଂ ମେରୁଦଣ୍ଡ ଷ୍ଟିଭ ସ୍ମିଥ ସର୍ବଦା ଜଣେ ଚିଟର ଭାବେ ମନେ ରହିବେ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ପେସର ଷ୍ଟିଭ ହାର୍ମିସନ। ଚଳିତ ଆଶେସ ସିରିଜ୍‌ରେ ସ୍ମିଥ ଇଂଲଣ୍ଡ ଦଳର ପରାଜୟର ମୁଖ୍ୟ କାରଣ। ଡାହାଣହାତୀ ବ୍ୟାଟ୍ସମ୍ୟାନ ଏକ ଦ୍ୱିଶତକ ସହ ୧୩୪.୨୦ ଆଭରେଜରେ ୬୭୧ ରନ୍‌ କରିଛନ୍ତି। ଏଭଳି ପ୍ରଦର୍ଶନ ସତ୍ତ୍ୱେ ସ୍ମିଥ, ପୂର୍ବତନ ଓପନ ଚେଷ୍ଟ ବୋଲରଙ୍କୁ ସମାଲୋଚନା କରିବାରୁ ରୋକିପାରି ନାହିଁ। କେପ ଟାଉନଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ସ୍ମିଥ ବଲ ଟାମ୍ପରିଂରେ ଜଡ଼ିତ ଥିଲେ। ଏଥିରୁ ସେ କଦାପି ଦୋଷମୁକ୍ତ ହୋଇପାରିବେ ନାହିଁ। ସ୍ମିଥ ଓ ତାଙ୍କ ସାଥୀ ଡେଭିଡ ଓ୍ବାର୍ନର ଓ କାମେରୁନ ବାନ୍‌କ୍ରାଫ୍ଟଙ୍କୁ ଚିଟର ଟ୍ୟାଗ ସହ ବଞ୍ଚିବାକୁ ପଡ଼ିବ। କାହା ମତାମତ ତାଙ୍କ ଦୋଷ ଲୁଚାଇ ପାରିବ ନାହିଁ। କାରଣ ସେମାନଙ୍କ କାର୍ଯ୍ୟ କ୍ରିକେଟକୁ ଲଜ୍ଜିତ କରିଥିଲା ବୋଲି ହାର୍ମିସନ ଏକ କ୍ରୀଡ଼ାଭିତ୍ତିକ ରେଡିଓ ଚ୍ୟାନଲକୁ କହିଛନ୍ତି। ହାର୍ମିସନ ଇଂଲଣ୍ଡ ପକ୍ଷରୁ ୬୩ ଟେଷ୍ଟ ଖେଳିଛନ୍ତି। ୨୦୦୫ ଐତିହାସିକ ଆଶେସ ବିଜୟ ଦଳର ସେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।

Share