ସ୍ମିତାରାଣୀ ଆତ୍ମହତ୍ୟା କରିଛନ୍ତି: ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର,୧୫-୧୧(ବ୍ୟୁରୋ):ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏଭଳି ନିଷ୍କର୍ଷ ବାହାରିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୁରୁବାର ବିଧାନସଭାରେ ଏ କଥା କହିଛନ୍ତି। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ମୁଲତବୀ ଆଲୋଚନାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଡାକ୍ତରୀ ଦଳ ମତାମତ ଦେଇଛନ୍ତି ଯେ ସ୍ମିତାରାଣୀଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁ ହୋଇଛି। ୨୦୧୯ ଅକ୍ଟୋବର ୧୬ ତାରିଖରେ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରାଙ୍କ ଗେଷ୍ଟ ହାଉସ୍‌ରେ ସ୍ମିତାରାଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତାଙ୍କ ବାପାଙ୍କ ଏତଲା ଉପରେ ଏକ ଅପମୃତ୍ୟୁ ମାମଲା ଧର୍ମଶାଳା ଥାନାରେ ରୁଜୁକରି ତଦନ୍ତ କରାଯାଇଛି। ତଦନ୍ତ ସମୟରେ ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ମୃତଦେହର ପଞ୍ଚନାମା କରାଯାଇଛି। ବ୍ୟବଚ୍ଛେଦ ବେଳେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ଚିତ୍ର ଉତ୍ତୋଳନ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ଧର୍ମଶାଳା ଥାନାରେ ଆଇପିସି ଦଫା ୩୦୬ରେ ଏକ ମାମଲା (ନଂ.୧୮୧/୨୦୧୯) ରୁଜୁ କରାଯାଇ ତଦନ୍ତ କରାଯାଇଛି। ତଦନ୍ତ ପରେ ରୂପେଶ ଭଦ୍ରାଙ୍କୁ ଅକ୍ଟୋବର ୧୯ ତାରିଖରେ ଦଫା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜେଲରେ ଅଛନ୍ତି, ଅନୁସନ୍ଧାନ ଚାଲୁ ରହିଛି। ସରକାର ଦୋଷୀଙ୍କୁ କେବେ ଛାଡ଼ିନାହାନ୍ତି। ନାରୀମାନଙ୍କ ସୁରକ୍ଷା ପ୍ରତି ସରକାର ସବୁବେଳେ ସମ୍ବେଦନଶୀଳ। ସରକାରଙ୍କୁ ଏହି ମାମଲାରେ ସମାଲୋଚନା କରିବା ଆଦୌ ଠିକ୍‌ ନୁହେଁ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିିବିଆଇ କିମ୍ବା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ଗଠନ କରିବାକୁ ଦାବି କରିଛୁ। ମାତ୍ର ମନ୍ତ୍ରୀ ଏ ସମ୍ପର୍କରେ ମୁହଁ ଖୋଲୁନାହାନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳର ସମସ୍ତ ବିଧାୟକ ବିଧାନସଭା ବାହାରକୁ ଚାଲିଯାଇଥିଲେ।
ବୁଧବାର ଗୃହକାର୍ଯ୍ୟ ଅଚଳ ହେବା ପରେ ବାଚସ୍ପତି କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ସ୍ମିତାରାଣୀ ମୃତ୍ୟୁ ସଂକ୍ରାନ୍ତ ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଶୂନ୍ୟକାଳ ପରେ ମଧ୍ୟାହ୍ନ ୧୨ଟା ୩୯ ମିନିଟ୍‌ରେ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ତେବେ ଏହାକୁ ଭାଜପା ସଦସ୍ୟମାନେ ଗ୍ରହଣ ନ କରି ସିବିଆଇ ଦାବିକରି ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ହୋହଲ୍ଲା ମଧ୍ୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଲତବୀ ଆଲୋଚନା ଆରମ୍ଭ କରିଥିଲେ। କଂଗ୍ରେସ ସଦସ୍ୟ ନରସିଂହ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ, ରାଜ୍ୟରେ ବଢୁଥିବା ନାବାଳିକା ଓ ମହିଳା ବଳାତ୍କାର ଘଟଣାକୁ ନେଇ ସରକାରଙ୍କ ଉପରେ ଜୋର୍‌ଦାର ବର୍ଷିଥିଲେ। ସେ କହିଥିଲେ ଯେ, ଏଭଳି ସମ୍ବେଦନଶୀଳ ଆଲୋଚନା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଅନୁପସ୍ଥିତ ରହିବା ଅତ୍ୟନ୍ତ ପରିତାପର ବିଷୟ। ସରକାର ଏହା ଉପରେ ଆଲୋଚନା ନ ହେଉ ବୋଲି ଚାହୁଁଥିଲେ। ଏହି ଆଲୋଚନା ଯେପରି ଭଣ୍ଡୁର ହେବ ସେନେଇ ବିଜେଡି ଓ ଭାଜପା ମଧ୍ୟରେ ମହା ସଲାସୁତରା ଚାଲିଛି। ପ୍ରତ୍ୟେକ ଦିନ ରାଜ୍ୟରେ ନାରୀ ଓ ନାବାଳିକା ବଳାତ୍କାର ବଢ଼ିଚାଲିଛି। ୨୦୧୯ ଜାନୁୟାରୀ ୧ ତାରିଖରୁ ଜୁନ୍‌ ୩୦ ମଧ୍ୟରେ ୧୦୦୫ ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ସୁପ୍ରିମକୋର୍ଟଙ୍କ ରିପୋର୍ଟରେ କୁହାଯାଇଛି। ୨୦୧୭ରେ ମହିଳା ନିର୍ଯାତନା ମାମଲା ୯୪.୭% ହୋଇଥିବାବେଳେ ସେଥିରୁ ମାତ୍ର ୭.୪% ମାମଲାର ଶୁଣାଣି ହୋଇଛି। ଗତ ୨ବର୍ଷରେ ରାଜ୍ୟରେ ବିଭିନ୍ନ ଅପରାଧରେ ୨୪ଲକ୍ଷ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ମାତ୍ର ୧୭,୦୦୦ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ କଂଗ୍ରେସ ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଛି। ଭାଜପାର ଦାବି ସହ ଆମେ ସହମତ। ମାତ୍ର ସେମାନେ ଏହା ଉପରେ ଆଲୋଚନା ନ କରି ହଟ୍ଟଗୋଳ କରିବା ଅର୍ଥ ସରକାରଙ୍କୁ ପରୋକ୍ଷରେ ସହାୟତା ସହ ସମାନ ବୋଲି ନରସିଂହ କହିଛନ୍ତି। ଜଣେ ସରକାରୀ କର୍ମଚାରୀ ସେ ଗେଷ୍ଟ ହାଉସ୍‌କୁ କାହିଁକି ଯାଇଥିଲେ, ତାଙ୍କୁ କିଏ ନେଇଥିଲେ, ଏ ସମସ୍ତ ଘଟଣାର ନିରପେକ୍ଷ ତଦନ୍ତ ହେବା ଦରକାର। ଏହି ଘଟଣାର ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ତଦନ୍ତ କରାଗଲେ ସ୍ମିତାରାଣୀଙ୍କ ଆମତ୍ା ଶାନ୍ତି ପାଇବ ବୋଲି ନରସିଂହ କହିଥିଲେ। କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ ମଦ ଯୋଗୁ ଏଭଳି ଅଭାବନୀୟ କାଣ୍ଡ ରାଜ୍ୟରେ ଘଟୁଛି ବୋଲି କହିଥିଲେ। ନିଯୁକ୍ତି ନ ପାଇ ଯୁବକମାନେ ମଦ ପିଇ ହତ୍ୟା ଓ ବଳାକତ୍ାର ଭଳି ଘଟଣାରେ ଲିପ୍ତ ରହୁଛନ୍ତି। ମଦ ଦୋକାନ ବନ୍ଦ ହେବା ଦରକାର ବୋଲି ସେ କହିଥିଲେ। କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ତାରା ବାହିନୀପତି, ଅମଧିରାଜ ପାଣିଗ୍ରାହୀ ପ୍ରମୁଖ ସରକାରଙ୍କୁ ସମାଲୋଚନା କରିବା ସହ ସିବିଆଇ କିମ୍ବା ଏସ୍‌ଆଇଟି ଦ୍ୱାରା ଘଟଣାର ତଦନ୍ତ କରିବାକୁ ଦାବି କରିଥଲେ। ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବରେ ବିଜେଡି ସଭ୍ୟ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅଶ୍ୱିନୀ ପାତ୍ର ପ୍ରମୁଖ ନାରୀମାନଙ୍କ ସୁରକ୍ଷା ନେଇ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମା’କୁ ସମ୍ମାନ ଓ ନାରୀ ସୁରକ୍ଷା ଯୋଗୁ ଗତ ୨୦ ବର୍ଷ ଧରି ଲୋକମାନେ ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଚାଲିଛନ୍ତି। ଭାଜପା ଓ କଂଗ୍ରେସ ନିଜର ରାଜନୈତିକ ଫାଇଦା ପାଇଁ ଏଭଳି ନାଟକବାଜି କରୁଥିବା ଶାସକ ଦଳ ସଦସ୍ୟ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri