ସ୍ବୟଂସମ୍ପୂର୍ଣ୍ଣା

ମାଟି ସହ ମାଟି ହୋଇପାରେ ବୋଲି ସେ ମା’। ପରିବାର ପ୍ରତିପୋଷଣ ପାଇଁ ସେ ଆପଣେଇ ନେଇଛି ମୃତ୍ତିକା କଳାକୁ। ଗୋଟିଏପଟେ ପରିବାର ଆଉ ଅନ୍ୟପଟେ ବ୍ୟବସାୟ କରି ନିଜକୁ ସ୍ବୟଂସମ୍ପୂର୍ଣ୍ଣ କରିପାରିଛି। ମାଟିରେ ପାରମ୍ପରିକ ଆଉ ଆଧୁନିକ ଡିଜାଇନ୍‌ର ବିଭିନ୍ନ ସାମଗ୍ରୀ ତିଆରି କରି ବ୍ୟବସାୟ କରିବା ସହିତ ସୃଷ୍ଟି କରିପାରିଛି ନିଜର ସ୍ବତନ୍ତ୍ର ପରିଚୟ…

ପରିବାର ଲୋକଙ୍କୁ ଖୁସିରେ ରଖିବା ପାଇଁ ସଳିତା ହୋଇ ଜଳିବାକୁ ନିଜ ସୌଭାଗ୍ୟ ମନେକରେ ନାରୀଟିଏ। ସେଥିପାଇଁ ତ ଅନେକେ ଏବେ ପେଟପାଟଣା ପାଇଁ ଘରୁ ଗୋଡ଼ କାଢ଼ିଛନ୍ତି। ମୃତ୍ତିକା କଳା ମାଧ୍ୟମରେ ନିଜ ସାମର୍ଥ୍ୟକୁ ପ୍ରମାଣ କରିଛନ୍ତି ଏମିତି ଅନେକ।
ବିବାହ ପରେ ବୃତ୍ତି: ତାଙ୍କ ହାତର ସ୍ପର୍ଶରେ ମାଟି ବି କଥାକହେ। କେବେ ସୁନ୍ଦର ଖେଳନାଟିଏ ହୋଇ ତ କେବେ ପୁଣି ରୋଷେଇ ଘରର ବିଭିନ୍ନ ଆସବାବପତ୍ର ଆଉ କେବେ ପୂଜାଘରର ବିଭିନ୍ନ ଜିନିଷ ବି ସେ ବେଶ୍‌ ସୁନ୍ଦରଭାବେ ତିଆରି କରିପାରନ୍ତି। ଏମିତି ଏକ ବୃତ୍ତିକୁ ଆପଣାଇ ଏବେ ବେଶ୍‌ ଭଲ ରୋଜଗାର କରି ପାରୁଛନ୍ତି ବଲାଙ୍ଗୀରର ପୁଷ୍ପା ରଣା। ପାଟଣାଗଡ଼ ବ୍ଲକର ଗେର୍‌ଡା ଗାଁରେ ରହନ୍ତି ପୁଷ୍ପା। କିନ୍ତୁ ରାଜ୍ୟର ବିଭିନ୍ନ ଜିଲାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ନିଜ ହସ୍ତଶିଳ୍ପ ସାମଗ୍ରୀକୁ ବିକ୍ରି କରିଥାନ୍ତି। ବିଭିନ୍ନ ଡିଜାଇନ୍‌ ମାଟିଦୀପ ସହିତ ମାଟି ହାଣ୍ଡି, ମାଟିର କପ୍‌, ପ୍ଲେଟ୍‌ ଓ ଘରସଜ୍ଜା ସାମଗ୍ରୀ ଏମିତି କେତେ କ’ଣ ଅତି ସୁନ୍ଦର ଡିଜାଇନ୍‌ରେ ସେ ତିଆରି କରିଥା’ନ୍ତି। ସେଥିପାଇଁ ତ ତାଙ୍କ ହସ୍ତଶିଳ୍ପର ବେଶ୍‌ ଆଦର ରହିଛି। ଆଉ ଏସବୁ ମାଧ୍ୟମରେ ସେ ଭଲ ରୋଜଗାର କରି ଆତ୍ମସନ୍ତୋଷ ପାଇ ପାରୁଛନ୍ତି।
ପରେ ପୁଷ୍ପା ଏଇ କାମ ଆରମ୍ଭ କରିଥିଲେ। ପ୍ରଥମେ କେବଳ ମାଟିଦୀପ ଓ ହାଣ୍ଡି ତିଆରି କରୁଥିଲେ। କିନ୍ତୁ ମାଟିର ବିଭିନ୍ନ ହସ୍ତଶିଳ୍ପ ପାଇଁ ଗାଁରେ ତାଲିମ ଦିଆଯାଉଛି ଜାଣିବା ପରେ ସେ ତାଲିମ ନେଇଥିଲେ। ଏହାପରେ ତାଲିମ ନେଇ ଏବେ ମାଟିରେ ସବୁ କିଛି ଗଢି ପାରୁଛନ୍ତି। ଏହି ପେସାକୁ ଏବେ ସେ ଲାଭଜନକ ମାଧ୍ୟମ କରି ପାରିଛନ୍ତି। ଏବେ ତାଙ୍କ ପରିବାରର ସମସ୍ତେ ଏହି ବୃତ୍ତିକୁ ଆପଣାଇ ନେଇଛନ୍ତି। ପିଲାମାନେ ପାଠ ପଢୁଛନ୍ତି, ସେମାନେ ବି ଫୁର୍‌ସତରେ କେବେ କେବେ ଖୁସିରେ ଏହି କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଏମିତି ଏକ ବୃତ୍ତିକୁ ଆପଣାଇ ପୁଷ୍ପା ଏବେ ତାଙ୍କ ପରିବାର ପାଇଁ ପାଲଟିଛନ୍ତି ଆଲୋକବର୍ତ୍ତିକା।
-ପୁଷ୍ପା ରଣା, ବଲାଙ୍ଗୀର
ସବୁବେଳେ ତିଆରି କରନ୍ତି: ମାଟିକୁ ନୂଆ ନୂଆ ରୂପ ଦେଇ ସଜେଇବାରେ ସେ ଯେମିତି ମଗ୍ନ ହେଇଯାନ୍ତି। ସେଥିପାଇଁ ତ ମାଟିରେ ବି ସେ ଭରି ଦିଅନ୍ତି ପ୍ରାଣ। ମାଟିରେ ଏମିତି ଜୀବନ୍ତ କଳାକୁ ରୂପ ଦେଇ ରୋଜଗାରକ୍ଷମ ହୋଇ ପାରିଛନ୍ତି କେନ୍ଦ୍ରାପଡ଼ାର ନିରୁପମା ବେହେରା। ପଟ୍ଟାମୁଣ୍ଡାଇ ବ୍ଲକର ଓଉପଦାରେ ତାଙ୍କ ଘର। କୌଳିକ ବୃତ୍ତିକୁ ଆପଣାଇ ସେ ମାଟିରେ ହାଣ୍ଡି ମାଠିଆ ଗଢିବା କାମ ଶିଖି ପାରିଥିଲେ। କିନ୍ତୁ ମାଟିରେ ବି ସୁନ୍ଦର କଳା ରୂପ ନେଇପାରେ ଏକଥା ସେ ଜାଣିପାରିଲେ ଯେତେବେଳେ ସେ ଟ୍ରେନିଂ ନେଇଥିଲେ। ଆଉ ଟ୍ରେନିଂ ସରିବାପରେ ୨୦୦୬ ମସିହାରୁ ସେ ଏହି କାମ କରି ରୋଜଗାରକ୍ଷମ ହୋଇପାରିଛନ୍ତି।
ଏବେ ଦୀପାବଳି ସମୟରେ ସୁନ୍ଦର ଡିଜାଇନ୍‌ ଦୀପ ସାଙ୍ଗକୁ ଫୁଲଦାନି, ଖେଳନା ଆଉ ଆକର୍ଷଣୀୟ ଘରସଜ୍ଜା ସାମଗ୍ରୀ ସବୁ ତିଆରି କରୁଛନ୍ତି। ତାଙ୍କ ହାତତିଆରି ଏସବୁ ମାଟି ଜିନିଷର ଚାହିଦା ଏବେ ଢେର୍‌ ବୃଦ୍ଧି ପାଇଛି। ସେଥିପାଇଁ ତ ସ୍ବାମୀଙ୍କ ସହ ମିଶି ସେ ଏହି କଳାକୁ ଆପଣାଇ ନେଇଛନ୍ତି। ବର୍ଷତମାମ ତ ସେ ମାଟିର ବିଭିନ୍ନ ଜିନିଷ ତିଆରି କରିଥାନ୍ତି। ଆଉ କେବେ ରାଜ୍ୟର ବିଭିନ୍ନ ପ୍ରଦର୍ଶନୀରେ ନିଜ ସାମଗ୍ରୀ ବିକ୍ରି କରନ୍ତି ତ କେବେ ପାଖ ଗାଁରେ ମଧ୍ୟ ବିକ୍ରି କରିବାର ସୁଯୋଗ ପାଇଥାନ୍ତି। ଅନେକ ସମୟରେ ବ୍ୟବସାୟୀମାନେ ବରାଦ ଦେଇ ତାଙ୍କ ଘରକୁ ଆସି ବିଭିନ୍ନ ସାମଗ୍ରୀ କିଣି ନେଇଥାନ୍ତି। ନିରୁପମାଙ୍କ କହିବା ଅନୁସାରେ ବିକ୍ରି କରିବା ପାଇଁ ସେ କେବେ ଚିନ୍ତା କରନ୍ତି ନାହିଁ କିନ୍ତୁ ବର୍ଷର ସବୁ ସମୟରେ ସେ ମାଟିର ବିଭିନ୍ନ ଜିନିଷ ତିଆରି କରୁଥାନ୍ତି। ସମୟ ଆସିଲେ ସବୁ ବିକ୍ରି ହୋଇଯାଏ।
-ନିରୁପମା ବେହେରା, କେନ୍ଦ୍ରାପଡ଼ା
ରୋଜଗାରକ୍ଷମ ହୋଇଛି
ବୋଲି ଖୁସି ଲାଗୁଛି: ନିଜେ ରୋଜଗାର କରି ପରିବାରକୁ ସାହାଯ୍ୟ କରିପାରିଲେ ପ୍ରତ୍ୟେକ ନାରୀ ବହୁତ ଖୁସି ହୋଇଥାନ୍ତି। ଠିକ୍‌ ଏମିତି ଅନୁଭବ କରି ଏବେ ବେଶ୍‌ ଆତ୍ମସନ୍ତୋଷ ପାଇଛନ୍ତି ଯାଜପୁର ଧର୍ମଶାଳା ବ୍ଲକ ମଙ୍ଗରାଜପୁର ଗାଁର ପାର୍ବତୀ ବେହେରା। ସୁଦୂର ମଫସଲ ଗାଁର ଏହି ମହିଳା ଏବେ ଜଣେ ସଫଳ ବ୍ୟବସାୟୀ। ମୃତ୍ତିକା କଳାକୁ ଆପଣାଇ ସ୍ଥାନୀୟ ଅଞ୍ଚଳରେ ସେ ସୃଷ୍ଟି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ।
ଭଳିକି ଭଳି ସାମଗ୍ରୀ ତିଆରି କରି ସେ ଏବେ ଗାଁ ବାହାରେ ବି ବିକ୍ରି କରି ପାରୁଛନ୍ତି। ଦୀପାବଳି ଆସିଲେ ସୁନ୍ଦର ଡିଜାଇନ୍‌ରେ ସେ ତିଆରି କରନ୍ତି ମାଟି ଦୀପ। ଆଉ ତା’ ସାଙ୍ଗକୁ ଘର ସଜ୍ଜା ପାଇଁ ଫୁଲଦାନିଠାରୁ ଆରମ୍ଭ କରି ବିଭିନ୍ନ ଡିଜାଇନରେ ରଙ୍ଗିନ ଆସବାବପତ୍ର ବି ତିଆରି କରୁଛନ୍ତି। ଲୋକଙ୍କ ଚାହିଦା ମୁତାବକ ସବୁ ପ୍ରକାରର ଜିନିଷ ସେ ମାଟିରେ ତିଆରି କରିପାରୁଛନ୍ତି। ତାଙ୍କ କହିବା ଅନୁସାରେ ଏବେ ଲୋକେ ଧୀରେ ଧୀରେ ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବାରୁ ମାଟିର ହାଣ୍ଡି, ମାଠିଆ, କପ୍‌ ପ୍ଲେଟ ଆଦି ବିଭିନ୍ନ ଜିନିଷ ଅଧିକ କିଣିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ବୃତ୍ତିକୁ ଆପଣାଇ ଏବେ ସେ ପରିବାର ଚଳାଇବାରେ ପ୍ରମୁଖ ଭୂମିକା ନେଇ ପାରିଛନ୍ତି।
ପାର୍ବତୀ ବେହେରା, ଯାଜପୁର
ତାଲିମ ନେବା ପରେ ଭଲ ବ୍ୟବସାୟ: କୌଳିକ ବୃତ୍ତିରୁ କିଛି କାମ ଶିଖିଥିଲେ ଆଉ କିଛି ଶିଖିଲେ ତାଲିମ ନେବାପରେ। ଏବେ ସେ ମୃତ୍ତିକା କଳାର ଜଣେ ସ୍ବତନ୍ତ୍ର କାରିଗର। ଏମିତି ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ନୟାଗଡ଼ର ପଦ୍ମାବତୀ ମୁଦୁଲି। ନୟାଗଡ଼ ରଣପୁରର ଗଉଡିଆପଡ଼ାରେ ତାଙ୍କ ଘର।
ସେ କେବଳ ହାଣ୍ଡି, ମାଠିଆ ଓ ଦୀପ ତିଆରି କରୁଥିଲେ। କିନ୍ତୁ ଗାଁରେ ଟ୍ରେନିଂ ନେବାପରେ ସେ ମାଟିରୁ ବିଭିନ୍ନ ଡିଜାଇନ୍‌ ଆସବାବପତ୍ର ତିଆରି ଶିଖିଥିଲେ। ବିବାହ ପରେ ବି ସେ ଏସବୁ କାମ କରି ବେଶ୍‌ ଭଲ ରୋଜଗାର କରି ପାରୁଛନ୍ତି। ପଦ୍ମାବତୀ କୁହନ୍ତି, ଏବେ ସେ ଗାଁରେ ବି ମାଟିର ସୁନ୍ଦର ଡିଜାଇନ୍‌ ଜିନିଷ ସବୁ ତିଆରି କରି ବିକ୍ରି କରିବାର ସୁଯୋଗ ପାଉଛନ୍ତି। ଅନେକ ସମୟରେ ବ୍ୟବସାୟୀମାନେ ତାଙ୍କ ପାଖରୁ ବରାଦ କରି ବିଭିନ୍ନ ସାମଗ୍ରୀ କିଣି ନେଇଥାନ୍ତି। କେବେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ କେବେ ନିଜସ୍ବ ଉଦ୍ୟମରେ ବିଭିନ୍ନ ପ୍ରଦର୍ଶନୀ ଓ ମେଳାରେ ନିଜ ସାମଗ୍ରୀକୁ ବିକ୍ରି କରିପାରୁଛନ୍ତି।
-ପଦ୍ମାବତୀ ମୁଦୁଲି, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri