Categories: ଖେଳ

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ଓପନ ବର୍ଗରେ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ଓ ବାଳିକା ବର୍ଗରେ ଜ୍ୟୋତିକା ସାହୁ ଚାମ୍ପିୟନ ହୋଇଛନ୍ତି । ୭ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ସ୍ବସ୍ତିକ ଓ ଜ୍ୟୋତିକା ୬.୫ ପଏଣ୍ଟ ଲେଖାଏ ହାସଲ କରିଛନ୍ତି । ଶନିବାର ୫ ରାଉଣ୍ଡ ଖେଳ ଶେଷ ସୁଦ୍ଧା ମଧ୍ୟ ସ୍ବସ୍ତିକ ୫ ପଏଣ୍ଟ ପାଇ ଏକକ ଅଗ୍ରଣୀ ଥିଲେ । ୬ଷ୍ଠ ରାଉଣ୍ଡରେ ଅଭିଜିତ ବିଶ୍ୱାଳଙ୍କ ସହ ମ୍ୟାଚ୍‌ ଡ୍ର ରହିବା ଯୋଗୁଁ ଉଭୟ ୦.୫ ପଏଣ୍ଟ ଲେଖାଏ ପାଇଥିଲେ । ହେଲେ ୭ମ ତଥା ଅନ୍ତିମ ରାଉଣ୍ଡରେ ସ୍ବସ୍ତିକ ଆୟୁଷ୍ମାନ ସାମନ୍ତରାୟଙ୍କୁ ପରାସ୍ତ କରି ଚାମ୍ପିୟନ ଟାଇଟଲ ହାସଲ କରିଛନ୍ତି । ମୋଟ ୬ ପଏଣ୍ଟ ପାଇଥିବା ଖୋର୍ଦ୍ଧାର ଅଭିଜିତ ବିଶ୍ୱାଳ ଓପନ ବର୍ଗରେ ରନର୍ସଅପ ହୋଇଥିବା ବେଳେ ୫.୫ ପଏଣ୍ଟ ସହ ସତ୍ୟାଂଶ ଶିୟମ ଦ୍ୱିତୀୟ ରନର୍ସଅପ ହୋଇଥିଲେ । ଜୟଦିତ୍ୟ ପାଢ଼ୀ, ଅର୍କ ମିଶ୍ର, ଉମଙ୍ଗ ନହର, ଆୟୁଷ୍ମାନ ସାମନ୍ତରାୟ, ପ୍ରତୀକ କୁଶଳ ରାଉତ, ଭିହାନ ରେଡ୍ଡୀ, ଅର୍ନଭ ବିଶ୍ୱାଳ ୫ ପଏଣ୍ଟ ଲେଖାଏ ପାଇ ୧୦ମ ସ୍ଥାନ ମଧ୍ୟରେ ଅଛନ୍ତି । ୫ରାଉଣ୍ଡ ଖେଳ ଶେଷ ସୁଦ୍ଧା ୪.୫ ପଏଣ୍ଟ ହାସଲ କରି ଜ୍ୟୋତିକା ସାହୁ ଦ୍ୱିତୀୟ ସ୍ଥାନରେ ଥିଲେ । ସମାନ ପଏଣ୍ଟ ସହ ଐଶ୍ୱର୍ଯ୍ୟା ସାହୁ ଅଗ୍ରଣୀ ନେଇଥିଲେ । ରବିବାର ଅନୁଷ୍ଠିତ ୬ଷ୍ଠ ରାଉଣ୍ଡ ମ୍ୟାଚ୍‌ରେ ରିପିଲ ପଣ୍ଡାଙ୍କୁ ଓ ୭ମ ରାଉଣ୍ଡରେ ହର୍ଷିତା ସିଂଙ୍କୁ ହରାଇ ଜ୍ୟୋତିକା ଟାଇଟଲ ବିଜୟୀ ହୋଇଛନ୍ତି। ଅନ୍ତିମ ଦୁଇଟି ଯାକ ରାଉଣ୍ଡରେ ଐଶ୍ୱର୍ଯ୍ୟା ପରାସ୍ତ ହୋଇଥିଲେ। ବାଳିକା ବର୍ଗରେ ରନର୍ସଅପ ହୋଇଛନ୍ତି ଖୋର୍ଦ୍ଧାର ଇଶାନୀ ଦାସ । ଇଶାନୀ ୬ ପଏଣ୍ଟ ପାଇଥିଲେ । ୫ ପଏଣ୍ଟ ପାଇ ରିପିଲ ପଣ୍ଡା ଦ୍ୱିତୀୟ ରନର୍ସଅପ ହୋଇଛନ୍ତି । ଉଦ୍‌ଯାପନୀ ଉତ୍ସବରେ ଅଲ ଓଡ଼ିଶା ଚେସ ଆସୋସିଏଶନ ଉପସଭାପତି ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଚେସ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକ, ମନୋରମା ଜେନା, ନିରୂପମା ତ୍ରିପାଠୀ, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର, ଜ୍ୟୋତି ଶଙ୍କର ନନ୍ଦ, ମାଷ୍ଟର ଚେସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

Share