ସ୍ପୋକନ ଇଂଲିଶ ଶିକ୍ଷା : ଏକ ପ୍ରବଞ୍ଚନା

ଡ. ସୁବାସ ଚନ୍ଦ୍ର ପାତ୍ର
ପ୍ରଥମ ଶ୍ରେଣୀରୁ ସ୍ପୋକନ ଇଂଲିଶ ଶିକ୍ଷା ପାଇଁ ଉଦ୍ୟମ, ଗଣମାଧ୍ୟମରେ କୋଳାହଳ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। ଏହା ଏକ ଆତ୍ମରକ୍ଷାମୂଳକ ପଦକ୍ଷେପ। ହଜେଇ ଦେଇଥିବା ‘ମାଟି’ ତଥା ସୁନାମ ଫେରି ପାଇବା ତଥା ସରକାରୀ ସ୍କୁଲକୁ ଅବାନ୍ତରତାରୁ ରକ୍ଷା କରିବା ନିମନ୍ତେ ଏହା ଆଉ ଏକ ବିଫଳତାଭରା ପଦକ୍ଷେପ। କାରଣ ସମସ୍ତେ ଜାଣନ୍ତି ଶିକ୍ଷିତ ଓ ସଚେତନ ଅଭିଭାବକମାନେ ଓଡ଼ିଆ ସ୍କୁଲରୁ ମୁହଁ ଫେରାଇଲେଣି। ସହର ସହିତ ନିପଟ ମଫସଲରେ ଇଂଲିଶ ମିଡିୟମ ସ୍କୁଲ ଛତୁ ଫୁଟିଲା ଭଳି ଗଢ଼ି ଉଠିଲାଣି। କେବଳ ବାଧ୍ୟବାଧକତାରେ ପଡ଼ି କିଛି ଅଭିଭାବକ ଓଡ଼ିଆ ସ୍କୁଲରେ ପିଲାମାନଙ୍କୁ ଆଡ୍‌ମିଶନ କରାଉଛନ୍ତି।
ଏବେ ଦ୍ୱିତୀୟ ଶ୍ରେଣୀରୁ ଇଂଲିଶ ଶିକ୍ଷା ପ୍ରଦାନ କରାଯାଉଛି। ସରକାର ସେଥିରୁ କ’ଣ ସଫଳତା ପାଇଲେ ବା ପାଇଲେ ନାହିଁ ଯେ ଇଂଲିଶ ଶିକ୍ଷାକୁ ପ୍ରଥମ ଶ୍ରେଣୀକୁ ନେବାକୁ ପଡ଼ିଲା? ସେ ପୁଣି ସ୍ପୋକନ ଇଂଲିଶ- ଅର୍ଥାତ୍‌ ଇଂଲିଶ କଥନ ଶିକ୍ଷା। ମୌଳିକ ଇଂଲିଶ କିପରି ସୁଦୃଢ଼ ହେବ ସେ କଥା ନ ଭାବି ସ୍ପୋକନ ଇଂଲିଶ ଶିକ୍ଷାଦାନ ପାଇଁ ପାଗ ଭିଡ଼ିବାର ଉଦ୍ଦେଶ୍ୟ କ’ଣ? ହଜାର ହଜାର ହାଇସ୍କୁଲରେ ଯେଉଁଠି ଓଡି଼ଆ ଭାଷାଶିକ୍ଷକ ନାହାନ୍ତି ସେଠି ସ୍ପୋକନ ଇଂଲିଶ ପଢ଼ାଇବ କିଏ? ସମସ୍ତେ ଜାଣନ୍ତି ସ୍ପୋକନ୍‌ ଇଂଲିଶ ପଢ଼ାଇବା କଷ୍ଟକର। ତା’ଛଡ଼ା ସେଥିରୁ ଆମେ ପାଇବା କ’ଣ? ଆଜିକାଲି କଲେଜରେ ପଢୁଥିବା ଅଧିକାଂଶ ଛାତ୍ରୀଛାତ୍ର ଯେଉଁଠି ଧାଡ଼ିଟିଏ ଶୁଦ୍ଧ ଇଂଲିଶ ଲେଖି ପାରୁନାହାନ୍ତି ସେଠି ନିତାନ୍ତ ଭୁଲ ଇଂଲିଶକୁ ସାହେବୀ କାୟଦାରେ ଉଚ୍ଚାରଣ କରିବାକୁ ଶିଖାଇବାର ଉଦ୍ଦେଶ୍ୟ କ’ଣ? ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ସରକାର +୩ ସ୍ତରରେ ଇଂଲିଶକୁ ଇଚ୍ଛାଧୀନ କରିଦେଲା ପରେ ଅଧିକାଂଶ ଛାତ୍ରୀଛାତ୍ର ତା’ର ବିକଳ୍ପ ଭାବେ ଓଡ଼ିଆ ବା ହିନ୍ଦୀ ବା ସଂସ୍କୃତ ରଖୁଛନ୍ତି, ଯାହା ଏକ ଆତ୍ମଘୋଷିତ ପରାଜୟ ବା ଦୁର୍ବଳତା। ବରିଷ୍ଠ ଛାତ୍ରୀଛାତ୍ରଙ୍କ ଏହି ଅବସ୍ଥା ସରକାର କ’ଣ ଜାଣିପାରୁନାହାନ୍ତି?
ଭାଷାକୁ ମଣିଷ ଶୁଣିଶୁଣି ଶିଖେ, ଯେମିତି ତା’ର ମାତୃଭାଷା। ଅକ୍ଷର ଶିଖିଲା ପରେ ସେ ଦେଖି ଦେଖି ଶିଖେ ପୂର୍ବଜ୍ଞାନକୁ ଦୃଢ଼ୀଭୂତ କରେଇବା ପାଇଁ ବା ବଢ଼େଇବା ପାଇଁ। ଭାଷାକୁ ଯେତେ ଅଧିକ ଶୁଣାଯିବ ଏବଂ ଅଧିକ କୁହାଯିବ ସେ ଭାଷା ସେତେ ଅଧିକ ଆତ୍ମସ୍ଥ ହେବ। କୌଣସି ଏକ କ୍ଲାସ୍‌ରେ ଦି’ପଦ ସ୍ପୋକନ ଇଂଲିଶ ଶିଖେଇ ଦେଲେ କ’ଣ ହେବ ଯଦି ସେ ଭାଷାଟି ଅନ୍ୟ କ୍ଲାସ୍‌ରେ, ଅନ୍ୟ ବିଷୟରେ ବା ଘରୋଇ କଥୋପକଥନରେ ବ୍ୟବହୃତ ନ ହେବ? ଇଂଲିଶ ଭାଷାରେ ଦୃଢ଼ତା ଆଣିବାକୁ ହେଲେ ଅନ୍ୟ ସବୁ ବିଷୟର ମାଧ୍ୟମକୁ ଇଂଲିଶ କରିବାକୁ ପଡ଼ିବ। ତାହା କ’ଣ ଓଡ଼ିଆ ସ୍କୁଲରେ ସମ୍ଭବ ଅବା ବାଞ୍ଛନୀୟ? ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଆନ୍ଧ୍ର ସରକାର ପ୍ରାଦେଶିକ ସ୍କୁଲର ଶିକ୍ଷାଦାନ ମାଧ୍ୟମକୁ ଇଂଲିଶ କରିଛନ୍ତି। ପ୍ରଥମେ ଅଷ୍ଟମରୁ ଦଶମ, ପରବର୍ତ୍ତୀ ସମୟରେ ପ୍ରଥମରୁ ସପ୍ତମ।
ଭାଷାଶିକ୍ଷା ଏକ ନିରନ୍ତର ଓ ଧାରାବାହିକ କ୍ରିୟା। ଶିକ୍ଷିତ ଓଡ଼ିଆ ଲୋକଟିଏ କିଛି ମାସ ବା ବର୍ଷ ନିଜ ମାତୃଭାଷାଠୁ ଦୂରେଇ ଗଲାପରେ ତା’ କଥାବାର୍ତ୍ତାରେ କିପରି ଇଂଲିଶ, ହିନ୍ଦୀ ବା ବଙ୍ଗଳା ପଶିଯାଏ ତାହା ସମସ୍ତେ ଜାଣନ୍ତି। ସେ କ୍ଷେତ୍ରରେ ଯେଉଁ ଭାଷା ନିରନ୍ତର ଭାବରେ କଥିତ ହେବନାହିଁ, ନିଜ ଘରେ ବା ଅନୁଷ୍ଠାନରେ, ସେ ଭାଷାରେ କଥନ ଦକ୍ଷତା କିପରି ସମ୍ଭବ? ଇଂଲିଶ ଏକ ବିଦେଶୀ ଭାଷା। ତା’ର ଉଚ୍ଚାରଣ ଶୈଳୀ, ଅନ୍ତଃସ୍ବର ଓ ତାଳ ଜଣେ ଅଣଇଂରେଜ ଲୋକ ଆୟତ୍ତ କରିବା କଷ୍ଟକର। ସେ ଖୁବ୍‌ ବେଶିରେ ଶୁଦ୍ଧ ଇଂଲିଶ କହିପାରିବ କିନ୍ତୁ ସାହେବୀ ଇଂଲିଶ ନୁହେଁ। ତା’ ଛଡ଼ା ବିଶ୍ୱରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଆମେରିକା ଭଳି ଇଂଲିଶ ମାତୃଭାଷା କୈନ୍ଦ୍ରିକ ଦେଶକୁ ଛାଡ଼ିଦେଲେ ସବୁ ଦେଶର ଲୋକେ ନିଜ ଶୈଳୀରେ ଇଂଲିଶ କହନ୍ତି। ଏପରି କି ୟୁରୋପର ଜର୍ମାନ, ଫ୍ରାନ୍ସ, ଇଟାଲୀ ଭଳି ଉନ୍ନତ ଦେଶର ନାଗରିକମାନେ ନିଜ ନିଜ ଢଙ୍ଗରେ ଇଂଲିଶ କହନ୍ତି। ଭାରତୀୟମାନେ ମଧ୍ୟ ସେହିପରି, ଯେଉଁଥିପାଇଁ ଭାରତୀୟ ଇଂଲିଶକୁ ହିଙ୍ଗି୍ଲସ (ହିନ୍ଦୁସ୍ଥାନୀ ଇଂଲିଶ) ବା ଇଣ୍ଡିଙ୍ଗ୍ଲିସ୍‌ କୁହାଯାଏ। ଆଜିକୁ ଶହେ ବର୍ଷ ତଳେ ପ୍ର୍ରଖ୍ୟାତ ବ୍ରିଟିଶ ଲେଖକ ବର୍ଣ୍ଣାଡ୍‌ ଶ’ ଅଣଇଂରେଜମାନେ ଅତି ଶୁଦ୍ଧ ଇଂଲିଶରେ କହିବାକୁ ଚେଷ୍ଟା କରିବା ଉଚିତ ନୁହେଁ ବୋଲି କହିଥିଲେ କାରଣ ତାହା ଛଳନାତ୍ମକ ଲାଗେ, କହୁଥିବା ଲୋକଟି ଜଣେ ପ୍ରତାରକ ଭାବେ ବିବେଚିତ ହୁଏ। ଏପରି କ୍ଷେତ୍ରରେ ସ୍ବକୀୟ ଭାରତୀୟ ଶୈଳୀରେ ଇଂଲିଶ କହିବାରେ କିଛି ଅସୁବିଧା ନାହିଁ। ପ୍ରଥମ କଥା ଆମ ଲିଖିତ ଇଂଲିଶ ଶୁଦ୍ଧ କି? ‘ଆଇ ଗୋଜ୍‌ ଟୁ ସ୍କୁଲ’ ଭଳି ଏକ ଭୁଲ୍‌ ଇଂଲିଶ ବାକ୍ୟକୁ ସାହେବୀ କାଇଦାରେ ଉଚ୍ଚାରଣ କଲେ କ’ଣ ମିଳିବ? ସରକାର ଯଦି ସୁଧାରିବାକୁ ଚାହୁଁଛନ୍ତି ମୌଳିକ, ଲିଖିତ ଇଂଲିଶର ଦୁରବସ୍ଥାକୁ ସୁଧାରନ୍ତୁ, ତା’ର ଗୁଣାତ୍ମକତା ବଢ଼ାନ୍ତୁ। କଥିତ ଇଂଲିଶ ପଛରେ ପଡ଼ନ୍ତୁ ନାହିଁ। ତାହା କଲେଜସ୍ତରରେ ପିଲା ନିଜ ଉଦ୍ୟମରେ ବିଶେଷ ତାଲିମପ୍ରାପ୍ତ ଅନୁଷ୍ଠାନଠୁ ଆହରଣ କରିପାରିବେ, ଯେଉଁମାନଙ୍କର ସେପରି ସାହେବୀ ଦକ୍ଷତା ଆବଶ୍ୟକ।
ସ୍ପୋକନ ଇଂଲିଶ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଏକ ଜଟିଳ ଓ କଷ୍ଟକର ପ୍ରକ୍ରିୟା। ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ତାହା ପଢ଼ାଯାଏ ନାହିଁ। ଶିକ୍ଷାଦାନର ଇଂଲିଶ ମାଧ୍ୟମ ହିିଁ ଛାତ୍ରୀଛାତ୍ରଙ୍କୁ ସେ ପାଠ ପଢ଼େଇଦିଏ। ଛାତ୍ରୀଛାତ୍ରମାନେ ଶୁଣିଶୁଣି ସେ ବାବଦରେ ଦକ୍ଷତା ହାସଲ କରି ନିଅନ୍ତି। ଆମର ମାଧ୍ୟମ ଇଂଲିଶ ନୁହେଁ। ଖାଲି ତାକୁ ହିଁ ପଢ଼େଇ ଛାତ୍ରକୁ ଦକ୍ଷ କରାଯିବ। ସେ ବାବଦରେ ପ୍ରାଥମିକ ସ୍ତରରେ ପଢ଼ାଇବା ପାଇଁ କିଛି ପାଠ୍ୟ ପୁସ୍ତକ ଅଛି କି? କିଛି ଦକ୍ଷ ଶିକ୍ଷକ ଅଛନ୍ତି କି? ନା କିଛି ବ୍ୟବସାୟିକ ସଂସ୍ଥାକୁ ଅର୍ଥ ରୋଜଗାର ପାଇଁ ଏହା ଏକ ସୁଯୋଗ, ଯେଉଁମାନେ ରାସ୍ତାଘାଟରେ ଏ ପ୍ରକାର ଦାବି କରି ବୋର୍ଡ଼ ଲଗାଇଛନ୍ତି?
ବହୁଭାଷିକ ହେବା ଆଜି ସମୟର ଆବଶ୍ୟକତା, ଯାହାର ମାପକାଠି ଶୁଦ୍ଧତା। ମୂଳଭାଷାର ଅଧିବାସୀଙ୍କ ପରି କହିବା ଜରୁରୀ ନୁହେଁ କି ଆବଶ୍ୟକ ନୁହେଁ। କେତେଜଣ ଅଣଓଡ଼ିଆ ଓଡ଼ିଆଙ୍କ ପରି ଶବ୍ଦ ଶବ୍ଦ ମଧ୍ୟରେ ବିରତି, ଅନ୍ତଃସ୍ବର ଓ ତାଳ ରଖି ଏକ ଓଡ଼ିଆ ବାକ୍ୟ ଉଚ୍ଚାରଣ କରିପାରିବେ? ଯୋଗାଯୋଗ ବା ‘କମ୍ୟୁନିକେଶନ’ ହିଁ ମୂଳକଥା। ଜଣେ ଯଦି ଅନ୍ୟଜଣଙ୍କୁ ବୁଝିପାରିଲା କଥା ସେଇଠି ସରିଲା। ତାହା ମୂଳଭାଷା ପରି ଉଚ୍ଚାରିତ ହେଉଛି କି ନାହିଁ, ତାହା ଜାଣିବା ନିଷ୍ପ୍ରୟୋଜନ। ସରକାର ତେଣୁ ଏହି ହାସ୍ୟାସ୍ପଦ ସିଦ୍ଧାନ୍ତରୁ ବିରତ ରୁହନ୍ତୁ, ବରଂ ଦ୍ୱିତୀୟ ଶ୍ରେଣୀରୁ ଯେଉଁ ଇଂଲିଶ ପଢ଼ାଯାଉଛି ତାହା କିପରି ଗୁଣାତ୍ମକ ହେବ, ପିଲା କିପରି ଇଂଲିଶରେ ଫେଲ ହେବେ ନାହିଁ, ଶୁଦ୍ଧତାର ସହ ଇଂଲିଶ ଲେଖି ଓ ପଢ଼ିପାରିବେ ସେ ବ୍ୟବସ୍ଥା କରନ୍ତୁ। ଘରୋଇ ଇଂଲିଶ ମାଧ୍ୟମ ସ୍କୁଲକୁ ଡରି ଏପ୍ରକାର ଆତ୍ମରକ୍ଷାମୂଳକ ପଦକ୍ଷେପ ନିଅନ୍ତୁ ନାହିଁ, ଯାହା ଶେଷରେ ଆତ୍ମପରାଜୟର କାରଣ ପାଲଟିବ।
ପୂର୍ବତନ କଲେଜ ଅଧ୍ୟକ୍ଷ, ଜେଲ୍‌ରୋଡ଼, ବାଲେଶ୍ୱର, ମୋ- ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri