Categories: ଖେଳ

ସୌରଜିତ, ସୁବ୍ରତ ଏନ୍‌ସିଏ ଲେଭଲ-ବି କୋଚ୍‌

କଟକ ଅଫିସ,୧୫ା୫- ଓଡ଼ିଶାର ଦୁଇ ପୂର୍ବତନ ଖ୍ୟାତିସମ୍ପନ୍ନ କ୍ରିକେଟର ସୌରଜିତ ମହାପାତ୍ର ଓ ସୁବ୍ରତ କୁମାର ବେହେରା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ର ଲେଭଲ-ବି କୋଚ୍‌ ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଗତ ନଭେମ୍ବର ୧୨ ଓ ୧୩ ତାରିଖରେ  କୋଲକାତାଠାରେ କୋଚ୍‌ମାନଙ୍କ ନିମନ୍ତେ ଲେଭଲ-ଏ ରିଫ୍ରେସର କୋର୍ସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ସୌରଜିତ ଓ ସୁବ୍ରତ ୬୦ ପ୍ରତିଶତରୁ ଅଧିକ ମାର୍କ ରଖି ସଫଳପୂର୍ଣ୍ଣ ଭାବେ କୃତକାର୍ଯ୍ୟ ହୋଇଛନ୍ତି। ୫୦ମାର୍କ ବିଶିଷ୍ଟ ପରୀକ୍ଷାରୁ ସୌରଜିତ ୪୧ମାର୍କ ରଖିଥିବା ବେଳେ ସୁବ୍ରତ ୩୭ମାର୍କ ହାସଲ କରିଛନ୍ତି। ଏହି ଦୁଇ କ୍ରିକେଟର ପୂର୍ବରୁ ଓଡ଼ିଶା ଦଳର କୋଚ୍‌ ଭାର ସମ୍ଭାଳିଛନ୍ତି। ପେସବୋଲର ସୌରଜିତ ୨୦୦୩ରୁ ୨୦୧୧ ମସିହା ପର୍ଯ୍ୟନ୍ତ ରାଜ୍ୟ ରଣଜୀ ଦଳ ସମେତ ଜୁନିୟର ବର୍ଗ, ମହିଳା ଦଳ ଏବଂ ଓଡ଼ିଶା କ୍ରିକେଟ ଏକାଡେମୀର ବୋଲିଂ କୋଚ ଥିଲେ । ୧୯୮୭-୮୮ ରଣଜୀ ସିଜନରେ ତ୍ରିପୁରା ବିପକ୍ଷ ମ୍ୟାଚ୍‌ରେ ସୌରଜିତ ଓଡ଼ିଶା ନିମନ୍ତେ ପ୍ରଥମ ହ୍ୟାଟ୍ରିକ ଉଇକେଟ ଦଖଲ କରିବାର ରେକର୍ଡ ରଖିଛନ୍ତି । ରାଜ୍ୟ ରଣ୍‌ଜୀ ଦଳର ପୂର୍ବତନ ଓପନର ତଥା ଡାହାଣହାତୀ ବ୍ୟାଟ୍ସମ୍ୟାନ ସୁବ୍ରତ ୨୦୦୧ରୁ ୨୦୦୫ ପର୍ଯ୍ୟନ୍ତ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି । ୨୦୧୦ରୁ ୨୦୧୭ ପର୍ଯ୍ୟନ୍ତ ରାଜ୍ୟ ଜୁନିୟର ଦଳର ବ୍ୟାଟିଂ କୋଚ୍‌ ଥିବା ବେଳେ ପରେ ଚୟନକର୍ତ୍ତା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଉଭୟଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ଶୁଭେଚ୍ଛା ଜଣାଇଛନ୍ତି ।

Share