Categories: ଖେଳ

ସୈଫ୍‌ ହାସନଙ୍କୁ ଜରିମାନା

କୋଲକାତା,୨୯।୧୧(ପି.ଟି.)- ଭାରତରେ ଅଧିକ ସମୟ ରହିବାରୁ ବାଂଲାଦେଶ ଓପନର ସୈଫ ହାସନଙ୍କୁ ଜରିମାନ ଦେବାକୁ ପଡିଛି। ତାଙ୍କର ଭିଜା ଅବଧି ଶେଷ ହୋଇଥିଲେ ମଧ୍ୟ ସେ ଭାରତରେ ରହିଥିଲେ। ଫଳରେ ସ୍ବଦେଶ ଫେରିବା ପାଇଁ ତାଙ୍କୁ ୨୧,୬୦୦ ଟଙ୍କା ଜରିମାନ ଦେବାକୁ ପଡିଥିଲା। ବ୍ୟାକ୍‌ଅପ୍‌ ଓପନର ଭାବେ ସେ ବାଂଲାଦେଶ ଦଳ ସହିତ ଭାରତ ଗସ୍ତରେ ଆସିଥିଲେ। ଏହି ଟେଷ୍ଟ ସିରିଜରେ ବାଂଲାଦେଶ ୨-୦ରେ ପରାସ୍ତ ହୋଇଥିଲା। କୋଲକାତାରେ ଅନୁଷ୍ଠିତ ଦିବାରାତ୍ର ଟେଷ୍ଟରେ ସେ ସାମିଲ ହୋଇ ନ ଥିଲେ। ଦେ ଦଳ ସହିତ ଭାରତରେ ରହିଯାଇଥିଲେ। ତାଙ୍କ ୬ ମାସିଆ ଭିଜା ଅବଧି ଶେଷ ହୋଇଥିବା କଥା ସେ ଜାଣି ନ ଥିଲେ। ଦୁଇ ଦିନ ତଳେ ତାଙ୍କ ଭିଜା ଅବଧି ଶେଷ ହୋଇଥିଲା। ଏକଥା ସେ ବିମାନବନ୍ଦରରେ ହୃଦୟଙ୍ଗମ କରିଥିଲେ। ସେ ନିର୍ଦ୍ଧାରିତ ବିମାନରେ ଯାତ୍ରା କରିପାରି ନ ଥିଲେ। ନୂଆ ନିୟମ ଅନୁସାରେ ତାଙ୍କୁ ଜରିମାନା ଦେବାକୁ ପଡିଛି ବୋଲି ବାଂଲାଦେଶ ଡେପୁଟି ହାଇ କମିଶନର ତୌଫିକ୍‌ ହାସନ କହିଛନ୍ତି। ଭାରତୀୟ ହାଇ କମିଶନ ତାଙ୍କୁ ଏକ୍‌ଜିଟ୍‌ କ୍ଲିୟରାନ୍ସ ଦେଇଛି। ଫଳରେ ସେ ବୁଧବାର ସ୍ବଦେଶ ଫେରିଛନ୍ତି। ସୈଫ ଓ ଅନ୍ୟ ଖେଳାଳିମାନେ ସୋମବାର ସ୍ବଦେଶ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ଦମ୍‌ଦମ ବିମାନ ବନ୍ଦରରେ ସେ ଆବଶ୍ୟକତାଠାରୁ ଅଧିକ ସମୟ ରହିଯାଇଥିଲେ। ସବୁ ଖେଳାଳିଙ୍କ ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଭିଜା ବ୍ୟବସ୍ଥା କରିଥିଲା। ତେବେ ସୈଫ୍‌ଙ୍କ ପାଖରେ ପୂର୍ବରୁ ଭାରତୀୟ ଭିଜା ଥିବାରୁ ବୋର୍ଡ ତାଙ୍କୁ ବାଦ୍‌ ଦେଇଥିଲା। ଗତ ଜୁନ୍‌ରେ ତାଙ୍କୁ ଭାରତୀୟ ଭିଜା ପ୍ରଦାନ କରାଯାଇଥିଲା। କିନ୍ତୁ ହାସନ କିମ୍ବା ଟିମ୍‌ ମ୍ୟାନେଜମେଣ୍ଟ ଏନେଇ ଅବଗତ ନ ଥିଲେ। ଯାହା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।

Share