ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ଏବେ କଟକ ଏସ୍‌ସିବିରେ ତାଙ୍କ ଚିକିତ୍ସା କରାଯିବ। ତେବେ ସେମାନେ ୬ ତାରିଖରେ ରାଜଧାନୀ ଏକ୍ସପ୍ରେସ୍‌ ଯୋଗେ ବାହାରି ୭ରେ କଟକ ପହଞ୍ଚିବେ। ସେମାନଙ୍କ ସହ ଏମ୍‌ସ ଡାକ୍ତର ଓ ଓଡ଼ିଶା ଭବନ କର୍ମଚାରୀ ମଧ୍ୟ ଆସିବେ ବୋଲି ଗୁରୁବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ଜଗା ଓ କାଳିଆଙ୍କ ପରବର୍ତ୍ତୀ ଚିକିତ୍ସା ଓ ରହଣି ଲାଗି କଟକ ଏସ୍‌ସିବିରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ଏସ୍‌ସିବିରେ ୬ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଗଠନ କରାଯାଇଛି। ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମ୍‌ରେ ଶିଶୁରୋଗ ବିଭାଗ ମୁଖ୍ୟ ପ୍ରଫେସର ଜେ.ଏନ୍‌. ବେହେରା, ନ୍ୟୁରୋଲୋଜି ବିଭାଗ, ସର୍ଜରୀ ବିଭାଗ ଭଳି ଅନ୍ୟ ବିଭାଗର ବରିଷ୍ଠ ଡାକ୍ତର ମଧ୍ୟ ଏଥିରେ ସାମିଲ ଅଛନ୍ତି। ଦୁଇ ଭାଇଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ସହ ପ୍ରତିଟି ମୁହୂର୍ତ୍ତ ଉପରେ ଡାକ୍ତରୀ ଟିମ ନଜର ରଖିବ। ଯଦି ଆବଶ୍ୟକ ପଡ଼େ, ଜଣେ ଡାଏଟିସିଆନ ଓ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଶେଷଜ୍ଞଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯିବ ବୋଲି ଏସ୍‌ବିି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ପୂର୍ବରୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୭ ଜୁଲାଇ ୧୪ରେ କନ୍ଧମାଳ ଜିଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ସେବେଠାରୁ ଏହି ଦୁଇ ଭାଇ ଏମ୍ସରେ ରହିଥିବାବେଳେ କିଛିଦିନ ତଳେ ଓଡ଼ିଶା ଆସିପାରିବେ ବୋଲି କର୍ତ୍ତୃପକ୍ଷ କହିଥିଲେ। ଏହାପରେ ଦୁଇଜଣଙ୍କୁ ଭୁବନେଶ୍ୱର ଏମ୍ସରେ ରଖିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ଥିର କରି ଅନୁମତି ମାଗିଥିଲେ। କିନ୍ତୁ ଭୁବନେଶ୍ୱର ଏମ୍ସରୁ କୌଣସି ଉତ୍ତର ନ ମିଳିବାରୁ ଏସ୍‌ସିବିରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।